ହାଙ୍ଗଝୌ: ଏସିଆନ୍ ଗେମ୍ସ ୨୦୨୩ରେ ଭାରତୀୟ କ୍ରିକେଟ୍ ଦଳକୁ ଐତିହାସିକ ସ୍ବର୍ଣ୍ଣ । ପ୍ରଥମ କରି ଏସୀୟ କ୍ରୀଡ଼ା କ୍ରିକେଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ବର୍ଷା ବାଧକ ସାଜିଥିଲା । ଦୀର୍ଘ ସମୟ ଧରି ବର୍ଷା ନଛାଡ଼ିବାରୁ ଖେଳ ପୁନର୍ବାର ଆରମ୍ଭ ହୋଇପାରିନଥିଲା । ଫଳରେ ଖେଳକୁ ରଦ୍ଦ କରିଦିଆଯାଇଥିଲା । ହେଲେ ଭାରତୀୟ କ୍ରିକେଟ ଟିମ୍ ରାଙ୍କିଂ ଅନୁସାରେ ଶୀର୍ଷରେ ରହିଥିବାରୁ ଦଳକୁ ସ୍ବର୍ଣ୍ଣ ବିଜୟୀ ଘୋଷଣା କରାଯାଇଛି । ଆଫଗାନିସ୍ତାନ ରୌପ୍ୟ ପଦକ ସହ ଏସିଆନ୍ ଗେମ୍ସ ଅଭିଯାନ ଶେଷ କରିଛି ।
ଆଜି (ଶନିବାର) ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଆଫଗାନିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଭାରତୀୟ ଅଧିନାୟକ ଋତୁରାଜ ଗାଏକ୍ୱାଡ । ସମ୍ପୂର୍ଣ୍ଣ ଏସିଆନ୍ ଗେମ୍ସରେ ଉଭୟ ବ୍ଯାଟିଂ ଓ ବୋଲିଂରେ ଦବଦବା ରଖିଥିବା ଭାରତୀୟ ଦଳ ଆଜି ମଧ୍ୟ ବୋଲିଂରେ ବେଶ ଚମତ୍କାର ପ୍ରଦର୍ଶନ କରିଥିଲା । ଆରମ୍ଭରୁ ହିଁ ପ୍ରତିପକ୍ଷ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା ଭାରତୀୟ ବୋଲିଂ ୟୁନିଟ । ଦୁଇ ଓପନର ଜୁବେଦ ଆକବରୀ ଓ ମହମ୍ମଦ ଶେହଜାଦ ଯଥାକ୍ରମେ ୫ ଓ ୪ ରନ କରି ପାଭିଲିୟନ ଫେରିଥିଲେ । ତୃତୀୟରେ ବ୍ୟାଟିଂ ପାଇଁ ଆସିଥିବା ନୁର ଅଲ୍ଲୀ ଜାଦରନ କେବଳ ୧ ରନ କରି ରନ୍ ଆଉଟ୍ ହୋଇଥିଲେ ।
ଚତୁର୍ଥ ୱିକେଟ୍ ପାଇଁ ଆସିଥିବା ଶାହିଦୁଲ୍ଲା କମଲ ଏକାକି ପରିସ୍ଥିତି ସମ୍ଭାଳି ବ୍ୟାଟିଂ କରିଥିଲେ ଓ ଭାରତୀୟ ବୋଲିଂ ଆଟାକ୍କୁ ଜୋରଦାର ଜବାବ ଦେଇଥିଲେ । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୩ ବଲରୁ ୩ ଚୌକା ଓ ୨ ଛକା ବଳରେ ୪୯ ରନ ସଂଗ୍ରହ କରିଛନ୍ତି । ଅଫସର ଜାଜାଇ ୧୫ ରନ କରି ରବି ବିଷ୍ଣୋଇଙ୍କ ଶିକାର ପାଲଟିଥିବା ବେଳେ କେବଳ ୧ ରନ୍ କରି ଶାହବାଜ ଅହମ୍ମଦଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ କରିମ ଜନତ । ଅଧିନାୟକ ଗୁଲବାଦିନ ନାଇବ ଶାହିଦୁଲ୍ଲା କମଲଙ୍କ ସାଥ୍ ଦେଇ ବ୍ୟାଟିଂ କରିଥିଲେ । ସେ ୨୪ ବଲରୁ ଅପରାଜିତ ୨୭ ରନ କରିଥିଲେ । ଏହି ସମୟରେ ବର୍ଷା ଆରମ୍ଭ ହୋଇ ମ୍ୟାଚ୍ରେ ବ୍ୟାଘାତ ସୃଷ୍ଟି କରିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ଆରମ୍ଭ ହୋଇନପାରିବାରୁ ଖେଳକୁ ରଦ୍ଦ ଘୋଷଣା କରାଯାଇଥିଲା ।