ପୋର୍ଟ ଅଫ ସ୍ପେନ: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଆଜି (ଗୁରୁବାର) ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । କୁଇନ୍ସ ପାର୍କ ଗ୍ରାଉଣ୍ଡରେ ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ । ଅନ୍ୟପଟେ ଆଜି ଘରୋଇ ଦଳ ୱେଷ୍ଟଇଣ୍ଡିଜ ପାଇଁ ସମ୍ମାନର କଥା ହୋଇଛି । ସମ୍ମାନ ବଞ୍ଚାଇବାକୁ ଆଜି ଲଢେଇ କରିବ ଇଣ୍ଡିଜ ।
ରବିବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । 10 ଓଭରରେ 100 ରନ ଦରକାର ଥିବା ବେଳେ ଅକ୍ଷର ପଟେଲଙ୍କ ଅପରାଜିତ ଅର୍ଦ୍ଧଶତକ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲା । ପ୍ରଥମ 2 ମ୍ୟାଚ ଜିତି ଭାରତ ସିରିଜ କବଜା କରିସାରିଛି । ଗୋଟିଏ ଦଳ ବିପକ୍ଷରେ ଲଗାତାର 12ଟି ଦିନିକିଆ ସିରିଜ ଜିତିଥିବା ଟିମ ହୋଇଛି ଭାରତ । ଆଜିର ମ୍ୟାଚରେ ମଧ୍ୟ ଭାରତ ଆଧିପତ୍ୟ ବିସ୍ତାର କରି କ୍ଲିନ ସୁଇପ ଲକ୍ଷ୍ୟ ପୂରଣ ପାଇଁ ପ୍ରୟାସ କରିବ । ଦଳରୁ ଦୁଇ ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଦୀପକ ହୁଡ୍ଡା ଏ ଯାଏଁ ସଫଳ ହୋଇନାହାନ୍ତି ।