ହାଇଦ୍ରାବାଦ: ସାଉଥ ଆଫ୍ରିକାରେ ରବିବାର ଖେଳାଯାଇଥିବା ମହିଳା ଅଣ୍ଡର 19 ବିଶ୍ବକପ ଫାଇନାଲ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡକୁ 7 ୱିକେଟ୍ରେ ହରାଇ ଚାମ୍ପିୟନ ହୋଇଛି ଟିମ ଇଣ୍ଡିଆ । ସୋସିଆଲ ମିଡ଼ିଆରେ ଭାରତୀୟ ଅଣ୍ଡର 19 ମହିଳା ଦଳକୁ ଏନେଇ ଶୁଭେଚ୍ଛାର ସୁଅ ଛୁଟିଛି । ବିସିସିଆଇ ସମେତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ପ୍ରମୁଖ ଟ୍ବିଟ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତୀୟ ପୁରୁଷ ଦଳ ମଧ୍ୟ ଏକ ଭିଡିଓ ପୋଷ୍ଟ କରି ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ସେପଟେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟି20 ମ୍ୟାଚ୍ରେ କଡ଼ା ସଙ୍ଘର୍ଷ ପରେ ବିଜୟ ହାସଲ କରି ସିରିଜକୁ 1-1ରେ ବରାବର ସ୍ଥିତିକୁ ଆଣିଛି ଟିମ ଇଣ୍ଡିଆ । ଏହାପରେ ଡ୍ରେସିଂ ରୁମରେ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସହ ଭାରତୀୟ କ୍ରିକେଟ ଦଳର ସମସ୍ତ ଖେଳାଳି ଅଣ୍ଡର 19 ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶୁଭେଚ୍ଛା ବାର୍ତ୍ତାର ଭିଡିଓ ବିସିସିଆଇ ଟ୍ବିଟରରେ ପୋଷ୍ଟ କରିଛି । ଏଥିରେ କୋଚ୍ ରାହୁଲ ଦ୍ରାବିଡ଼ ଭାରତୀୟ ଯୁବ ମହିଳା ଦଳର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏହାପରେ ସେ ପୃଥ୍ବୀ ଶଙ୍କୁ ମାଇକ ଦେଇଥିଲେ । ପୃଥ୍ବୀ ଶଙ୍କ ସମେତ ସମସ୍ତ ଖେଳାଳି ମହିଳା ଦଳଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରକାଶ ଥାଉକି, ପୃଥ୍ବୀ ଶଙ୍କ ନେତୃତ୍ବରେ ଭାରତ 2018ରେ ଆଇସିସି ଅଣ୍ଡର 19 ବିଶ୍ବକପ ଜିତିଥିଲା । ସେତେବେଳେ ରାହୁଲ ଦ୍ରାବିଡ଼ ମଧ୍ୟ ଅଣ୍ଡର 19 ଦଳର କୋଚ୍ ଥିଲେ ।