ଡବ୍ଲିନ୍: ମହାକାଶ ବଗେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ଭାରତ । ସଫଳ ହେଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ମିଶନ୍ । ପୂର୍ବ ନିର୍ଦ୍ଧାରିତ ସମୟ ଅର୍ଥାତ ଭାରତୀୟ ସମୟ ସନ୍ଧ୍ୟା ୬ଟା ୪ ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି । ତେବେ ଏଥିପାଇଁ କେବଳ ଭାରତ ନୁହେଁ, ସାରା ବିଶ୍ବରେ ସେଲିବ୍ରେସନ୍ର ମାହୋଲ ଦେଖିବାକୁ ମିଳିଛି । ଆୟରଲାଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ମଧ୍ୟ ଏହି ଐତିହାସିକ କ୍ଷଣର LIVE ଉପଭୋଗ କରିବା ସହ ସେଲିବ୍ରେସନ୍ କରିଛି ।
ଦୀର୍ଘ ୫୦ ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ଲ୍ୟାଣ୍ଡିଂ କରିଛି ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ ୩ ଲ୍ୟାଣ୍ଡର 'ବିକ୍ରମ' । ୫.୪୫ରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ରଫ ବ୍ରେକିଂ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ସମୟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ଐତିହାସିକ କ୍ଷଣକୁ ଚାହିଁ ରହିଥିଲେ ୧୪୦ କୋଟି ଦେଶବାସୀ । ଏହି ସଫଳତା ପରେ ବିଭିନ୍ନ ମହଲରୁ ଇସ୍ରୋକୁ ଶୁଭେଚ୍ଛାର ସୁଅ ଛୁଟିଛି । ଚାରିଆଡେ ସେଲିବ୍ରେସନ୍ର ମାହୋଲ । ଏହାରି ମଧ୍ୟରେ ଭାରତୀୟ ସ୍ପିଡ୍ଷ୍ଟାର୍ ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ଆୟରଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ସମସ୍ତ ମଧ୍ୟ ଏହି ଐତିହାସିକ କ୍ଷଣକୁ LIVE ଉପଭୋଗ କରିଥିଲେ । ଚନ୍ଦ୍ରଯାନ ୩ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ପୁରା ଟିମ୍ ଇଣ୍ଡିଆ ଖୁସିରେ ତାଳି ବଜାଇ ଏହି ମୁହୂର୍ତ୍ତକୁ ସେଲିବ୍ରେସନ୍ କରିଥିଲେ । ଯାହାର ଭିଡିଓ ବିସିସିଆଇ ସୋସିଆଲ ମିଡିଆରେ ପୋଷ୍ଟ କରିଛି ।