ମେଲବର୍ଣ୍ଣ: ଟି୨୦ ବିଶ୍ବକପରେ ଭାରତର ବିଜୟ ଅଭିଯାନ ଆରମ୍ଭ । ସୁପର ୧୨ ପର୍ଯ୍ୟାୟ ହାଇଭୋଲଟେଜ ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ(India won against Pakistan) । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୧୬୦ ରନ୍ ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତ ବିରାଟ କୋହଲିଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଟାର୍ଗେଟ ହାସଲ କରିନେଇଛି ।
ସବୁ ଥର ପରି ଏଥର ମଧ୍ୟ ଦେଖିବାକୁ ମିଳିଥିଲା ଭାରତ ବନାମ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ । ଶେଷ ଓଭରରେ ବଦଳିଥିଲା ମ୍ୟାଚର ଫଳାଫଳ । ୧୬୦ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ । ହେଲେ ୧.୫ ଓଭରରେ ଭାରତକୁ ପ୍ରଥମ ଝଟକା ଲାଗିଥିଲା । ଏହାପରେ ଦମଦାର ଫର୍ମରେ ମଇଦାନକୁ ଓହ୍ଲାଇଥିଲେ ଷ୍ଟାର ବ୍ୟାଟର ବିରାଟ କୋହଲି । ୩.୨ ଓଭରରେ ଅଧିନାୟକ ରୋହିତ ଶର୍ମା ଆଉଟ ହୋଇ ପାଭଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ ପାଇଁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ହେଲେ ସେ ମଧ୍ୟ ୧୫ ରନ୍ କରି ଆଉଟ ହୋଇଥିଲେ ।
ମାତ୍ର ୬.୧ ଓଭରରେ ଭାରତ ୪ଟି ୱିକେଟ ହରାଇସାରିଥିଲା । ଏହାପରେ ଦଳ ଉପରେ ଚାପ ପଡିଥିଲା । ଏହି ସମୟରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲିଙ୍କ ପାର୍ଟନିରସିପ୍ ବଳରେ ଦଳୀୟସ୍କୋର ଆଗକୁ ବଢିଥିଲା । ଶେଷ ଓଭରେ ବିଜୟ ପାଇଁ ଭାରତକୁ ୧୬ ରନ୍ ଆବଶ୍ୟକ ଥିଲା । ଏହି ସମୟରେ ବିରାଟ କୋହଲିଙ୍କ ଆକ୍ରାମକ ସଟ୍ ଖେଳି ଭାରତକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲେ । ଡେଥ ଓଭରରେ ଏହି ମ୍ୟାଚରେ ରୋମାଞ୍ଚ ଭରି ରହିଥିଲା । ଶେଷ ଓଭରରେ ପାକିସ୍ତାନ ସ୍ପିନର ମହମ୍ମଦ ନୱାଜ ଦୁଇଟି ୱାଇଡ, ଗୋଟିଏ ନୋବଲ୍ ପକାଇଥିଲେ । ଯାହାଫଳରେ ଭାରତ ସପକ୍ଷରେ ମ୍ୟାଚ ଯାଇଥିଲା ।
ବିରାଟ କୋହଲି ୫୩ ବଲରୁ ୬ ଟି ଚୌକା ଏବଂ ୪ଟି ଛକା ସହିତ ୮୨ ରନ୍ର ଲଢୁଆ ଇନିଂସ ଖେଳିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୭ ବଲରୁ ୪୦ ରନର ଇନିଂସ ଖେଳି କୋହଲିଙ୍କ ସହ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ । ପାକିସ୍ତାନର ହାରିଶ ରୌଫ ମହମ୍ମଦ ଓ ମହମ୍ମଦ ନୱାଜ ୨ ଟି ୱିକେଟ ନେଇଥିବା ବେଳେ ନସିମ ଶାହା ଗୋଟିଏ ୱିକେଟ ନେଇଥିଲେ । ପରବର୍ତ୍ତୀ ମ୍ୟାଚ ଭାରତ ଅକ୍ଟୋବର ୨୭ ତାରିଖରେ ନେଦରଲାଣ୍ଡ୍ ସହ ଖେଳିବ ।