ଦୁବାଇ:ଆଗାମୀ ଟି-୨୦ ବିଶ୍ବକପ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ବୁଧବାର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ବିରାଟବାହିନୀ । ଏହି ମ୍ୟାଚ୍ରେ ବ୍ୟାଟିଂ କ୍ରମ ସୁଧାରିବାକୁ ଟିମ ଇଣ୍ଡିଆ ପାଖରେ ଶେଷ ସୁଯୋଗ ରହିବ ।
ପରେ ରବିବାର ପାକିସ୍ତାନ ବିପକ୍ଷରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳିବ ଭାରତ । ଏହି ଟୁର୍ଣ୍ଣାମେଣ୍ଟ ବିରାଟ କୋହଲିଙ୍କ ପାଇଁ କ୍ୟାପଟେନ୍ ଭାବେ ଓ ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ ।
ଇଂଲଣ୍ଡ ବିପକ୍ଷରେ ଟିମ ଖେଳିଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଶୀର୍ଷ ୩ଟି ବ୍ୟାଟିଂକ୍ରମ ନେଇ ସ୍ପଷ୍ଟ କରିଥିଲେ କ୍ୟାପଟେନ କୋହଲି । ରୋହିତ ଶର୍ମାଙ୍କ ସହ କେଏଲ ରାହୁଲ ଓପନିଂ କରିବେ ଓ ୩ ନମ୍ବର ସ୍ଥାନରେ ବିରାଟ ବ୍ୟାଟିଂ କରିବେ ।
୭୦ ରନର ମାରାଥନ ଅର୍ଦ୍ଧଶତକୀୟ ଇଂନିସ ଖେଳି ଯୁବ ବ୍ୟାଟର ଇଶାନ କିଶନ ମଧ୍ୟ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇଁ ଦାବିଦାର ହୋଇଛନ୍ତି । ୱିକେଟ କିପର ଋଷଭ ପନ୍ତଙ୍କୁ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବରୁ ବ୍ୟାଟିଂ ସୁଯୋଗ ମିଳିଥିଲା । ତେବେ ଦ୍ବିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍ରେ ଟିମ ଇଣ୍ଡିଆ ପାଖରେ ବ୍ୟାଟିଂ କ୍ରମ ଠିକ୍ କରିବାକୁ ସୁଯୋଗ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ