ଓଡିଶା

odisha

By

Published : Oct 31, 2022, 6:02 PM IST

Updated : Oct 31, 2022, 7:53 PM IST

ETV Bharat / sports

T20 World Cup: ବଦଳିଲା ସମୀକରଣ, ଜାଣନ୍ତୁ ଭାରତ ଗ୍ରୁପରୁ କେଉଁ ଟିମ ଖେଳିବ ସେମିଫାଇନାଲ

ଚଳିତ ଆଇସିସି ପୁରୁଷ ଟି୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ରାଉଣ୍ଡର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ବାକି ରହିଥିବାବେଳେ ଏଯାଏଁ ସେମିଫାଇନାଲ ଖେଳିବାକୁ ଯାଉଥିବା ଶ୍ରେଷ୍ଠ ୪ଟି ଟିମ ନେଇ ସ୍ପଷ୍ଟ ହୋଇପାରିନାହିଁ । ସମସ୍ତ ୧୨ଟି ଟିମ ୩ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି । ଅଧିକ ପଢନ୍ତୁ

T20 World Cup Group 2 qualification scenarios: How will India qualify for T20 World Cup semifinals
T20 World Cup: ବଦଳିଲା ସମୀକରଣ, ଜାଣନ୍ତୁ ଭାରତ ଗ୍ରୁପରୁ କେଉଁ ଟିମ ଖେଳିବେ ସେମିଫାଇନାଲ

ହାଇଦ୍ରାବାଦ:ଚଳିତ ଆଇସିସି ପୁରୁଷ ଟି୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ରାଉଣ୍ଡର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ବାକି ରହିଥିବାବେଳେ ଏଯାଏଁ ସେମିଫାଇନାଲ ଖେଳିବାକୁ ଯାଉଥିବା ଶ୍ରେଷ୍ଠ ୪ଟି ଟିମ ନେଇ ସ୍ପଷ୍ଟ ହୋଇପାରିନାହିଁ । ଗ୍ରୁପ ୧ରେ ଥିବା ସମସ୍ତ ୬ଟି ଟିମ ୩ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଥିବାବେଳେ ଗ୍ରୁପ ୨ରେ ଥିବା ସମସ୍ତ ଟିମ ମଧ୍ୟ ୩ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି । ତଥାପି ସେମିଫାଇନାଲ ପାଇଁ ଯୋଗ୍ୟତା କୌଣସି ଟିମ ଔପଚାରିକ ଭାବେ ହାସଲ କରିନାହାନ୍ତି । ଗ୍ରୁପ ୧ରେ ବର୍ଷା ବାଧକ ସାଜିବାରୁ ଏକାଧିକ ମ୍ୟାଚ୍‌ ବାତିଲ ଓ ପଏଣ୍ଟ ଭାଗହେବା କାରଣରୁ ଏହି ଗ୍ରୁପର ସେମଫାଇନାଲ ସମୀକରଣ ରୋମାଞ୍ଚକ ସ୍ଥିତିରେ ରହିଛି ଓ ପରସ୍ପର ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ପରାସ୍ତ ହେବାପରେ ଗ୍ରୁପ ୨ର ସେମିଫାଇନାଲ ଅଙ୍କ ମଧ୍ୟ ଅଡୁଆ ହୋଇଛି ।

ନଜର ପକାନ୍ତୁ ଗ୍ରୁପ ୨ରୁ କେଉଁ ଟିମ ସେମିଫାଇନାଲକୁ ଉନ୍ନୀତ ହେବାର ଅଧିକ ସମ୍ଭାବନା ରହିଛି ।

ଦକ୍ଷିଣ ଆଫ୍ରିକା: ସେମିଫାଇନାଲ ସମୀକରଣ

ଗ୍ରୁପ ୨ରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦକ୍ଷିଣ ଆଫ୍ରିକା(୩ଟି ମ୍ୟାଚ୍‌ ପରେ) ସେମିଫାଇନାଲ ଖେଳିବା ପ୍ରାୟତଃ ନିଶ୍ଚିନ୍ତ । ତେମ୍ବା ବାଭୁମାଙ୍କ ଟିମ ୩ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ବର୍ଷା ବାଧାପ୍ରାପ୍ତ ଗୋଟିଏ ମ୍ୟାଚ୍‌ରୁ ଗୋଟିଏ ପଏଣ୍ଟ ସହ ମୋଟ ୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟିମର ନେଟ୍‌ ରନରେଟ୍‌ +୨.୭୭୨ ଅଧିକ ରହିଛି । କୌଣସି ବଡ ଧରଣର ବିପର୍ଯ୍ୟୟ ନହେଲେ ବାକିଥିବା ଶେଷ ଦୁଇଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରୁ ଗୋଟିଏରେ ବିଜୟ ମିଳିଲେ ଦକ୍ଷିଣ ଆଫ୍ରିକାର ଔପଚାରିକ ଭାବେ ସେମିଫାଇନାଲରେ ପ୍ରବେଶ କରିବ । ଏଯାବତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ତେମ୍ବା ବାଭୁମାଙ୍କ ଟିମ ନଭେମ୍ବର ୩ରେ ପାକିସ୍ତାନ ବିପକ୍ଷରେ ଖେଳିବ ଓ ପରେ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ନେଦରଲାଣ୍ଡ ବିପକ୍ଷରେ ଖେଳିବ ।

ଭାରତ: ସେମିଫାଇନାଲ ସମୀକରଣ

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ ଭାରତ ପାଇଁ ସାମାନ୍ୟ ବଦଳିଛି ସେମି ସମୀକରଣ । ନେଟ୍‌ ରନରେଟ୍‌ ବଳରେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଟିମ ଇଣ୍ଡିଆ । ୩ଟି ମ୍ୟାଚ୍‌ରୁ ଗୋଟିଏ ପରାଜୟ ସହ ଭାରତ ୪ ପଏଣ୍ଟ ହାସଲ କରିଛି । ଫଳରେ ନେଟ୍‌ ରନରେଟ୍‌ ରହିଛି +୦. ୮୪୪ । ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ପରେ ଭାରତ ପାଇଁ ଏବେ ପରବର୍ତ୍ତୀ ମ୍ୟାଚ୍‌ ଅର୍ଥାତ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଏହି ମ୍ୟାଚ୍‌ରେ ନିଶ୍ଚୟ ବିଜୟ ଆବଶ୍ୟକ କରିବ ମେନ ଇନ ବ୍ଲୁ । କାରଣ ବାଂଲାଦେଶ ମଧ୍ୟ ସମାନ ୩ଟି ମ୍ୟାଚ୍‌ ଖେଳି ୪ ପଏଣ୍ଟ ହାସଲ କରିସାରିଛି । ଭାରତ ଓ ବାଂଲାଦେଶର ପଏଣ୍ଟ ସମାନ ରହିଥିଲେ ମଧ୍ୟ ଭଲ ରନରେଟ୍‌ ପାଇଁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ।

ଭାରତ ନଭେମ୍ବର ୨ରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଥିବାବେଳେ ନଭେମ୍ବର ୬ରେ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଜିମ୍ବାୱେ ବିପକ୍ଷରେ ଖେଳିବ । ଯଦି ବାଂଲାଦେଶ ବିପକ୍ଷରେ ଭାରତ ପରାସ୍ତ ହୁଏ ତେବେ ମେନ ଇନ୍‌ ବ୍ଲୁ ପାଇଁ ସେମିଫାଇନାଲ ସମୀକରଣ ସଂପୂର୍ଣ୍ଣ ବଦଳି ଯାଇପାରେ । କାରଣ ଭାରତ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହେଲେ ଏହାର ୬ ପଏଣ୍ଟ ହୋଇଯିବ ଓ ପାକିସ୍ତାନ ବିପକ୍ଷରେ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ହାତରେ ରହିବ । ଏପରି ହେଲେ ଭାରତକୁ ଶେଷ ମ୍ୟାଚ୍‌ ଜିମ୍ବାୱେ ବିପକ୍ଷରେ ବଡ ବ୍ୟବଧାନରେ ଜିତିବା ଜରୁରୀ ହୋଇପଡିବ ।

ବାଂଲାଦେଶ: ସେମିଫାଇନାଲ ସମୀକରଣ

ଏସିଆ କପରେ ଭଲ ପ୍ରଦର୍ଶନ କରିପାରିନଥିବା ବାଂଲାଦେଶ ଚଳିତ ଟି୨୦ ବିଶ୍ବକପରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି । ୩ଟି ମ୍ୟାଚ୍‌ରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ହାସଲ କରିସାରିଛି । ତେବେ ସାକିବ ଅଲ ହାସନଙ୍କ ଟିମର ଶେଷ ଦୁଇଟି ମ୍ୟାଚ୍‌ ଭାରତ ଓ ପରେ ପାକିସ୍ତାନ ବିପକ୍ଷରେ ରହିଛି । ଏପରି ସ୍ଥିତିରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଟିମକୁ ବିଜୟ ଆବଶ୍ୟକ ହୋଇପଡିଛି । କାରଣ ଭାରତ ବିଜୟୀ ହେଲେ ପଏଣ୍ଟ ସଂଖ୍ୟା ୬ରେ ପହଞ୍ଚିଯିବ ଓ ଜିମ୍ବାୱେ ଭଳି ଟିମ ସହ ଶେଷ ମ୍ୟାଚ୍‌ ରହିଥିବାରୁ ମେନ୍‌ ଇନ୍‌ ବ୍ଲୁର ପଏଣ୍ଟ ସଂଖ୍ୟା ୮ରେ ପହଞ୍ଚିବାର ସମ୍ଭାବନା ରହିଛି । ମାତ୍ର ଭାରତ ବିପକ୍ଷ ମ୍ୟାଚ୍‌ ପରେ ବାଂଲାଦେଶ ପାଖରେ ଗୋଟିଏ ମ୍ୟାଚ୍‌ ଥିବାରୁ ଯଦି ବିଜୟ ମିଳେ ଅତିବେଶୀରେ ୬ ପଏଣ୍ଟ ପର୍ଯ୍ୟନ୍ତ ପହଞ୍ଚିପାରିବ ।

ଜିମ୍ବାୱେ: ସେମିଫାଇନାଲ ସେମୀକରଣ

ଚଳିତ ଟି୨୦ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଛି ଟିମ ଜିମ୍ବାୱେ । ନିକଟ ଅତୀତରେ ଆଇସିସି ଦ୍ବାରା ବାସନ୍ଦାଦେଶ ଭୋଗିଥିବା ଜିମ୍ବାୱେ, ପାକିସ୍ତାନକୁ ହରାଇବା ପରେ ବିଶ୍ବବ୍ୟାପୀ ପ୍ରଶଂସା ସାଉଟିଛି । ତେବେ ସେମିଫାଇନାଲ ପାଇଁ ରାସ୍ତା କଷ୍ଟସାଧ୍ୟ ଓ ଆଶା କ୍ଷୀଣ ଥିଲେ ମଧ୍ୟ ବିକଳ୍ପ ଉପଲବ୍ଧ ରହିଛି । ଜିମ୍ବାୱେ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ମ୍ୟାଚ୍‌ରେ ଅଳ୍ପକେ ପରାଜିତ ହୋଇଛି । ତେବେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଗୋଟିଏ ପଏଣ୍ଟ ଯୋଗୁଁ ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଶେଷ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇପାରିଲେ ୭ ପଏଣ୍ଟ ହାସଲ କରିପାରିବ । କେବଳ ସେତିକି ନୁହେଁ ଟିମ ସେମିଫାଇନାଲରେ ପହଞ୍ଚିବାକୁ ଭାରତ ବିପକ୍ଷରେ ବିଜୟ ଓ ବାଂଲାଦେଶ ବିପକ୍ଷରେ ଭାରତର ବିଜୟ କାମନା କରିବ । ଦଳର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରାଜା ଜବରଦସ୍ତ ଫର୍ମରେ ଥିବାରୁ ପଏଣ୍ଟ ତାଲିକାରେ ବଡ ଧରଣର ଓଲଟପାଲଟ କରିବାର କ୍ଷମତା ରଖିଛି ଜିମ୍ବାୱେ । ଶେଷ ଦୁଇଟି ମ୍ୟାଚ୍‌ ନେଦରଲାଣ୍ଡ ଓ ଭାରତ ବିପକ୍ଷରେ ଖେଳିବ ।

ପାକିସ୍ତାନ: ସେମିଫାଇନାଲ ସମୀକରଣ

ଭାରତକୁ ଦକ୍ଷିଣ ଆଫ୍ରିକା ହରାଇବା ପରେ ପାକିସ୍ତାନର ସେମିଫାଇନାଲ ଆଶା ଶକ୍ତ ଝଟ୍‌କା ଲାଗିଛି । ତେବେ ଏବେବି ଟିମ ଔପଚାରିକ ଭାବେ ସେମିଫାଇନାଲ ଦୌଡରୁ ବାଦ୍‌ ପଡିନାହିଁ । ଶେଷ ଦୁଇଟି ମ୍ୟାଚ୍‌ ଜିତି ୬ ପଏଣ୍ଟ ସହ ଦ୍ବିତୀୟ ଟିମ ଭାବେ ମେନ ଇନ ଗ୍ରୀନଙ୍କ ପାଖରେ ସେମିଫାଇନାଲ ଖେଳିବାର ଅଳ୍ପ ସମ୍ଭାବନା ରହିଛି । ତେବେ କେବଳ ଦୁଇଟି ବିଜୟରେ ବାବର ଆଜମଙ୍କ ଟିମ ସେମିଫାଇନାଲରେ ପହଞ୍ଚିପାରିବ ନାହିଁ । ଦକ୍ଷିଣ ଆଫ୍ରିକା ମଧ୍ୟ ତାର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ନେଦରଲାଣ୍ଡ ଠାରୁ ପରାସ୍ତ ହେଉ ବୋଲି କାମନା କରିବ ଓ ଭାରତ ମଧ୍ୟ ଅନ୍ୟ ଗୋଟିଏ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ପରାସ୍ତ ହେଉ ବୋଲି କାମନା କରିବ । ଏପରି ସ୍ଥିତିରେ ୬ ପଏଣ୍ଟରେ ପହଞ୍ଚିଥିବା ଗ୍ରୁପ୍‌ର ଅନ୍ୟ କୌଣସି ଟିମଠାରୁ ନେଟ୍‌ ରନରେଟ୍‌ ଅଧିକ ଥିଲେ ଦ୍ବିତୀୟ ଟିମ ଭାବେ ସେମିଫାଇନାଲ ଯିବାର ଅଳ୍ପ ସମ୍ଭାବନା ରହିଛି । ତେବେ ଏହି ଜଟିଳ ସେମୀକରଣ ସହ ପାକ୍‌ ଟିମର ସେମିଫାଇନାଲ ଖେଳିବା ଆଶା କ୍ଷୀଣ ରହିଛି ।

ନେଦରଲାଣ୍ଡ: ସେମିଫାଇନାଲ ଦୌଡରୁ ବାହାର

ନେଦରଲାଣ୍ଡ ୩ଟି ମ୍ୟାଚ୍‌ ଖେଳି କୌଣସି ପଏଣ୍ଟ ହାସଲ କରିପାରିନଥିବାରୁ ଅନ୍ୟ ଦୁଇଟି ମ୍ୟାଚ୍‌ରେ ବିଜୟ ମିଳିଲେ ମଧ୍ୟ ସେମିଫାଇନାଲରେ ପହଞ୍ଚିପାରିବ ନାହିଁ । ଫଳରେ ସେମିଫାଇନାଲ ଦୌଡରେ ନଥିବାରୁ ଗ୍ରୁପ ୨ରୁ ପ୍ରଥମ ଟିମ ଭାବେ ନେଦରଲାଣ୍ଡ ବିଶ୍ବକପରୁ ବିଦାୟ ନେବ ବୋଲି କୁହାଯାଇପାରିବ । ଶେଷ ଦୁଇଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ନେଦରଲାଣ୍ଡ ନଭେମ୍ବର ୨ରେ ଜିମ୍ବାୱେ ଓ ନଭେମ୍ବର ୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ।

ଅବଶିଷ୍ଟ ଗ୍ରୁପ ୨ ମ୍ୟାଚ୍‌

୨ ନଭେମ୍ବର : ଜିମ୍ବାୱେ ବନାମ ନେଦଲରାଣ୍ଡ, ଆଡିଲେଡ ଓଭାଲ

୨ ନଭେମ୍ବର : ଭାରତ ବନାମ ବାଂଲାଦେଶ, ଆଡିଲେଡ ଓଭାଲ

୩ ନଭେମ୍ବର: ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, SCG ସିଡନୀ

୬ ନଭେମ୍ବର : ଦକ୍ଷିଣ ଆଫ୍ରିକା ବନାମ ନେଦରଲାଣ୍ଡ, ଆଡିଲେଡ ଓଭାଲ

୬ ନଭେମ୍ବର : ପାକିସ୍ତାନ ବନାମ ବାଂଲାଦେଶ, ଆଡିଲେଡ ଓଭାଲ

୬ ନଭେମ୍ବର : ଜିମ୍ବାୱେ ବନାମ ଭାରତ, MCG, ମେଲବର୍ଣ୍ଣ

Last Updated : Oct 31, 2022, 7:53 PM IST

ABOUT THE AUTHOR

...view details