ନୂଆଦିଲ୍ଲୀ:ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ବକପ ପାଇଁ କାଉଣ୍ଟଡାଉନ୍ । ରୋହିତ ଶର୍ମାଙ୍କ ସମେତ ଟି-୨୦ ବିଶ୍ବକପ ସ୍କ୍ବାଡ୍ ପାଇଁ ଚୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ମଙ୍ଗଳବାର ଦୁବାଇରେ ଟିମ ହୋଟେଲରେ ପ୍ରବେଶ କରିବେ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ୍ ଖେଳି ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍କୁ ଆଉ ମାତ୍ର ଦୁଇ ସପ୍ତାହରୁ କମ ସମୟ ବାକି ରହିଛି । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ୍ର ନଜର ରହିଛି ।
ଭାରତୀୟ ଟିମ ଟି-୨୦ ବିଶ୍ବକପ ସମୟରେ TH୮ Palm ହୋଟେଲରେ ରହିବ । ମଙ୍ଗଳବାର ଟିମ ହୋଟେଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଭାରତୀୟ ଖେଳାଳି ପହଞ୍ଚିବା ନେଇ ସୂଚନା ରହିଛି ।
ଭାରତୀୟ ଟିମ ମ୍ୟାନେଜମେଣ୍ଟ ମହେନ୍ଦ୍ର ସିଂହ ଧୋନିଙ୍କୁ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ମେଣ୍ଟର ଭାବେ ନିଯୁକ୍ତ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫିନିସର ଦାୟିତ୍ବ ତୁଲାଇବାକୁ ପଡିବାରେ । ଭାରତ-ପାକିସ୍ତାନ ଭଳି ବଡ ମ୍ୟାଚ୍ରେ ଭାରତୀୟ ମଧ୍ୟକ୍ରମରେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିକୁ ଏଡାଇବାକୁ ମ୍ୟାନେଜମେଣ୍ଟ ଯୋଜନା କରୁଛି ।
ହାର୍ଦ୍ଦିକ କେବଳ ୨୦୧୭ ଚମ୍ପିଆନ୍ସ ଟ୍ରଫିରେ ନୁହେଁ ବରଂ ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ବିଶ୍ବକପରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ପାକିସ୍ତାନ ବିପକ୍ଷ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ୪୩ ବଲ୍ରୁ ୭୬ ରନ୍ର ଇଂନିସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ପାଣ୍ଡ୍ୟା । ସେହିପରି ବିଶ୍ବକପ ମ୍ୟାଚ୍ରେ ୧୯ ବଲ୍ରୁ ଦ୍ରୁତ ୨୬ ରନ୍ର ଇଂନିସ ଖେଳିବା ସହିତ ଦୁଇଟି ୱିକେଟ ମଧ୍ୟ ହାତେଇଥିଲେ ।