ଦୁବାଇ: ଚଳିତ ଟି-ଟେଣ୍ଟିରେ ବିଶ୍ବକପରେ ଅନ୍ତିମ ଲିଗ ମ୍ୟାଚରେ ନାମ୍ବିଆକୁ ହରାଇ ବିଜୟ ସହିତ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ । ଏହା ସହିତ ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ରେଡ ବଲ କ୍ରିକେଟରେ କୋହଲି ଜଣେ ଶ୍ରେଷ୍ଠ ଆମ୍ବାସଡର ବୋଲି କହିଛନ୍ତି ରବି ଶାସ୍ତ୍ରୀ ।
ଚଳିତ ଟି-ଟେଣ୍ଟିରେ ପୁରୁଷ ବିଶ୍ବକପରେ ନାମ୍ବିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ ହୋଇଛି । ଏହା ସହିତ ୟୁଏଇରେ ଟିମର ଯାତ୍ରା ସମାପ୍ତ ହୋଇଛି । ଶେଷ ମ୍ୟାଚକୁ ନେଇ ୪ବର୍ଷ ହେବ କୋଚ ଦାୟିତ୍ବରେ ଥିବା ରବି ଶାସ୍ତ୍ରୀ ଟିମକୁ ପ୍ରଶଂସା କରିଛନ୍ତି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ ଭାରତ ପ୍ରଥମ ଏସୀୟ ଦଳ ଭାବରେ ଅଷ୍ଟ୍ରେଲିଆକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ହରାଇଥିଲା । ଆଇସିସି ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଥିଲା । ଏହା ସହିତ ୨୦୧୯ରେ ଦିନିକିଆ ବିଶ୍ବକପରେ ସେମି ଫାଇନାଲରେ ଖେଳିଥିଲା ଟିମ । ବିରାଟ କୋହଲିଙ୍କ ନେତୃତ୍ବକୁ ଭୁଲି ନଥିଲେ ଶାସ୍ତ୍ରୀ । ଭାରତୀୟ ଦଳର କୋଚ ଭାବରେ ମୋ ଯାତ୍ରା ବେଶ ସୁନ୍ଦର ଓ ସଫଳ ରହିଥିଲା । କୋଚ ଦାୟିତ୍ବ ଗ୍ରହଣ କରିବା ସମୟରେ ମୋ ମନରେ ଗୋଟିଏ କଥା ଥିଲା ଟିମ ଇଣ୍ଡିଆକୁ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବା ।