ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL) 2021 ଅବଶିଷ୍ଟ ମ୍ୟାଚ୍ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । CSK ତଥା ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇରେ ପହଞ୍ଚିଛନ୍ତି । ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ UAEରେ ଆଇପିଏଲର ୨୦୨୧ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଛି ।
ରିପୋର୍ଟ ଅନୁଯାୟୀ, ଦୁବାଇ ପ୍ରସ୍ତୁତି ଶିବିର ପାଇଁ ଅଗଷ୍ଟ ୧୪ରେ ଧୋନିଙ୍କ ସମେତ କିଛି ଅନ୍ୟ CSK ସଦସ୍ୟ ୟୁଏଇ ଯାତ୍ରା କରିବେ । ସୋମବାର ବିଳମ୍ବିତ ରାତ୍ରିରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ଧୋନି ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଥିଲେ । ଚେନ୍ନାଇ ସହର ଧୋନିଙ୍କ ପାଇଁ ସର୍ବଦା ଦ୍ବିତୀୟ ଘର ସଦୃଶ ରହିଛି । ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଦୀର୍ଘ ଦିନ ଧରି ଖେଳିଆସୁଛନ୍ତି ଧୋନି । ଏଥିସହ ଧୋନିଙ୍କ ସଫଳ ନେତୃତ୍ବରେ IPL ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଟିମ ମଧ୍ୟରେ ମଧ୍ୟ ରହିଛି CSK ।