ଶାରଜାହ: ଆଇପିଏଲର ୪୬ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ ହରାଇ ୧୨୯ ରନ୍ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୩୦ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ଟସ୍ ଜିତି ଦିଲ୍ଲୀ କ୍ୟାପଟେନ ଋଷଭ ପନ୍ତ ବୋଲିଂ ନିଷ୍ପତ୍ତି ନେବାପରେ ସମସ୍ତ ବୋଲର ଶୃଙ୍ଖଳିତ ବୋଲିଂ ସହ କ୍ୟାପଟେନଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ । ସଂପୂର୍ଣ୍ଣ ମ୍ୟାଚ୍ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ମ୍ୟାଚ୍ର ଦ୍ବିତୀୟ ଓଭରରେ ହିଁ ରୋହିତ ଶର୍ମାଙ୍କୁ ଆଉଟ୍ କରି ମୁମ୍ବାଇ କ୍ୟାମ୍ପ୍ରେ କମ୍ପନ ସୃଷ୍ଟି କରିଥିଲେ ଯୁବ ବୋଲର ଅଭେଶ ଖାନ୍ । ଏହାପରେ ନିୟମିତ ବ୍ୟବଧାନରେ ଦିଲ୍ଲୀ ବୋଲର ୱିକେଟ ଅକ୍ତିଆର କରି ଶକ୍ତିଶାଳୀ ମୁମ୍ବାଇର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ।
ସ୍ପିନର ଅକ୍ଷର ପଟେଲ୍ ଘାତକ ବୋଲିଂ କରିଥିଲେ । ୪ ଓଭର ବୋଲିଂ କରି ୨୧ ରନ୍ ବ୍ୟୟରେ ମୁମ୍ବାଇର ୩ଜଣ ଷ୍ଟାର ଖେଳାଳି କ୍ବିଣ୍ଟନ ଡିକକ୍, ସୂର୍ଯ୍ୟକୁମାର ଯାଦବ ଓ ସୌରଭ ତିୱାରୀଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ ଅକ୍ଷର । ଅଭେଶ ଖାନ୍ ମଧ୍ୟ ୪ ଓଭରରେ ମାତ୍ର ୧୫ ରନ୍ ବ୍ୟୟରେ ରୋହିତ ଶର୍ମାଙ୍କ ୱିକେଟ ସମେତ ୩ ଶିକାର କରିଛନ୍ତି । ଆନରିଚ ନର୍କିଆ ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।