ଓଡିଶା

odisha

ETV Bharat / sports

Cricket World Cup 2023: ଜାଣନ୍ତୁ ଟିମ୍‌ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା

ବିଶ୍ବକପ୍‌ ୨୦୨୩ ଜିତିବା ପାଇଁ ଭାରତୀୟ ଦଳ ପାଖରେ ସମସ୍ତ ସାମର୍ଥ୍ୟ ଓ ଦକ୍ଷତା ରହିଛି । ଏନେଇ ବହୁ ପୂର୍ବତନ କ୍ରିକେଟର ଓ କ୍ରିକେଟ ବିଶେଷଜ୍ଞ ଭାରତକୁ ଚଳିତ ବିଶ୍ବକପ ବିଜେତା ଭାବେ ପ୍ରଥମ ପସନ୍ଦରେ ରଖିଛନ୍ତି । ତେବେ ଜାଣନ୍ତୁ ଭାରତୀୟ ଦଳ ପାଖରେ କଣ ରହିଛି ସାମର୍ଥ୍ୟ ଓ କଣ ଦୁର୍ବଳତା ରହିଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 30, 2023, 8:52 PM IST

ଟିମ୍‌ ଇଣ୍ଡିଆର କଣ ରହିଛି ସାମର୍ଥ୍ୟ ଓ କଣ ଦୁର୍ବଳତା
ଟିମ୍‌ ଇଣ୍ଡିଆର କଣ ରହିଛି ସାମର୍ଥ୍ୟ ଓ କଣ ଦୁର୍ବଳତା

ହାଇଦ୍ରାବାଦ: ପ୍ରତିବର୍ଷ ଭାରତୀୟ କ୍ରିକେଟ ଦଳ ବହୁ ଆଶା ନେଇ ବିଶ୍ବକପ୍‌ରେ ପ୍ରବେଶ କରିଥାଏ । ବିଶ୍ବକପ୍‌ ସମେତ ଦେଶକୁ ବିଭିନ୍ନ ଆଇସିସି ଟୁର୍ଣ୍ଣାମେଣ୍ଟରେ ଶୀର୍ଷତମ ସଫଳତା ଆଣିଦେଇଥିବା ଶେଷ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଚମ୍ପିଆନ୍ସ ଟ୍ରଫି ୨୦୧୩ ବିଜୟ ପରେ ଏପର୍ଯ୍ୟନ୍ତ ଭାରତ ଗୋଟିଏ ମଧ୍ୟ ଆଇସିସି ଟ୍ରଫି ହାତେଇ ପାରିନାହିଁ । ଯଦିଓ ବାରମ୍ବାର ନକ୍‌-ଆଉଟ୍ସରେ ପ୍ରବେଶ କରୁଛି, ହେଲେ ବଡ ଦଳ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ବିଫଳ ହୋଇଆସୁଛି ଟିମ୍‌ ଇଣ୍ଡିଆ ।

ଏଥର କିନ୍ତୁ ବିଶ୍ବକପ୍‌ ଟ୍ରଫି ଉଠାଇ ଦୀର୍ଘ ଦିନର ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତୀୟ ଦଳ ପାଖରେ ଭରପୁର ସୁଯୋଗ ରହିଛି । ଭାରତୀୟ ଦଳରେ ସୁଦୃଢ଼ ସ୍ପିନ୍‌ ବିଭାଗ ଓ ବ୍ୟାଟିଂ କ୍ରମ ରହିଛି, ଯାହା ଭାରତ ମାଟିରେ ସଫଳତା ପାଇଁ ଉପଯୁକ୍ତ ସୂତ୍ର । କେବଳ ସେତିକି ନୁହେଁ, ଭାରତୀୟ ଦଳ ପାଖରେ ଏକ ଘରୋଇ ମାହୋଲ ରହିବ, ଯାହା ଖେଳାଳିଙ୍କୁ ଏକ କ୍ଲିନିକାଲ୍ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ । ତେଣୁ, ଏଥର ଟାଇଟଲ୍ ଜିତିବା ପାଇଁ ଭାରତ ସମସ୍ତଙ୍କର ପ୍ରଥମ ପସନ୍ଦ । କିନ୍ତୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀମାନେ ମଧ୍ୟ ଭାରତକୁ କଠିନ ଆହ୍ବାନ ଦେବାକୁ ଯାଉଛନ୍ତି ।

ଭାରତୀୟ ଦଳର ସାମର୍ଥ୍ୟ: ଏସିଆ କପ୍‌ ୨୦୨୩ ଫାଇନାଲ୍‌ରେ ବଡ଼ ବିଜୟ ପରେ ଅଷ୍ଟ୍ରେଲିଆ ପରି ଏକ ଶକ୍ତିଶାଳୀ ଦଳକୁ ଦିନିକିଆରେ ୨-୧ରେ ହରାଇ ଗଭୀର ଆତ୍ମବିଶ୍ବାସ ସହ ବିଶ୍ବକପ୍‌ ମୈଦାନରେ ଓହ୍ଲାଇବାକୁ ଯାଉଛି ଟିମ୍‌ ଇଣ୍ଡିଆ । ଭାରତୀୟ ପିଚ୍‌ ଅନୁସାରେ ଦଳର ଇନ୍‌-ଫର୍ମ ବ୍ୟାଟିଂ ୟୁନିଟ୍‌ ହେଉଛି ଦଳର ମୁଖ୍ୟ ଶକ୍ତି । ଅଧିନାୟକ ରୋହିତ ଶର୍ମା ଖେଳିଥିବା ଶେଷ ୪ଟି ଦିନିକିଆ ମ୍ୟାଚ୍‌ରେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହିତ ଭେଟେରାନ ବ୍ୟାଟର ବିରାଟ କୋହଲି ନିଜର ଚମତ୍କାର ଫର୍ମରେ ରହିଛନ୍ତି । ଯୁବ ବ୍ୟାଟର ଶୁଭମନ ଗିଲ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ । ଏପରିକି ଏସିଆ କପ୍‌ ୨୦୨୩ରେ ମଧ୍ୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ଥିଲେ ଗିଲ । ରାହୁଲ ଓ ଆୟର ମଧ୍ୟ ଭଲ ଫର୍ମରେ ନଜର ଆସିଛନ୍ତି । ଫଳରେ ଭାରତର ବ୍ୟାଟିଂ ୟୁନିଟ୍‌ ମଧ୍ୟ ବେଶ ଶକ୍ତିଶାଳୀ ଦେଖାଯାଉଛି ।

ବୋଲିଂ ବିଭାଗରେ ନଜର ପକାଇଲେ କୁଲଦୀପ ଯାଦବ ତାଙ୍କ ୱିକେଟ୍ ନେବା କ୍ଷମତା ସହିତ ସ୍ଥିର ରହିଛନ୍ତି ଏବଂ ସେ ଭାରତ ପାଇଁ ରବିଚନ୍ଦ୍ରନ୍ ଅଶ୍ବିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ସହ ବୋଲିଂ ବିଭାଗର ସମ୍ପୂର୍ଣ୍ଣ ନେତୃତ୍ବ ନେବେ ବୋଲି ଆଶା କରାଯାଉଛି । ଏସିଆ କପ୍‌ର ଫାଇନାଲରେ ମହମ୍ମଦ ସିରାଜ ବୋଲିଂରେ ହଇଚଇ ସୃଷ୍ଟି କରିଥିଲେ । ଅନୁଭବୀ ମହମ୍ମଦ ସାମି ମଧ୍ୟ ଅଷ୍ଟ୍ରେଲିଆ ସିରିଜରେ ୫ ୱିକେଟ୍ ସଫଳତା ସହ ନିଜର ଉପସ୍ଥିତି ଜାହିର କରିଥିଲେ । ମୋଟାମୋଟି ଭାବେ, ଭାରତ ଏଥର ବିଶ୍ବକପ ଟ୍ରଫି ପାଇଁ ପ୍ରଥମ ପସନ୍ଦ ବୋଲି ମନେହୁଏ । କିନ୍ତୁ କିଛି କାରଣ ଏପରି ମଧ୍ୟ ରହିଛି, ଯାହା ଟ୍ରଫି ଉଠାଇବା ସୁଯୋଗ ଉପରେ ପ୍ରଭାବ ପକାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ETV BHARAT SPECIAL: Cricket World Cup 2023: ଧୋନୀଙ୍କ ପୂର୍ବତନ କୋଚ୍‌ କହିଲେ ବିଶ୍ବକପ ଜିତିବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ଶକ୍ତି ଓ ସାମର୍ଥ୍ୟ ଅଛି

ଭାରତୀୟ ଦଳର ଦୁର୍ବଳତା: ଭାରତୀୟ ଦଳର ଅଧିକାଂଶ ବ୍ୟାଟର ଡାହାଣହାତି ଅଟନ୍ତି । ତେଣୁ ଦଳରେ ବାମହାତି ବ୍ୟାଟିଂ ବିକଳ୍ପର ଅଭାବ ରହିଯିବ, କାରଣ ଈଶାନ୍ କିଷାନଙ୍କ ଚୂଡ଼ାନ୍ତ ଏକାଦଶରୁ ବାଦ ପଡିପାରନ୍ତି । ଈଶାନଙ୍କୁ ବସାଇବା ଦ୍ବାରା ଭାରତ ହୁଏତ ଡାହାଣହାତି ବ୍ୟାଟରଙ୍କଠାରୁ ବଲ୍ ଛଡ଼ାଇ ନେଉଥିବା ଲେଗ୍ ସ୍ପିନରମାନଙ୍କୁ ଆକ୍ରମଣ କରିବାର ଏକ ବିକଳ୍ପ ହରାଇପାରେ । ସେହିଭଳି କେଏଲ୍ ରାହୁଲ ଜଣେ ପାର୍ଟ ଟାଇମ୍ ୱିକେଟ୍ କିପର ହୋଇଥିବାରୁ ଜଣେ ବିଶେଷଜ୍ଞ ୱିକେଟ୍ କିପରଙ୍କ ଅନୁପସ୍ଥିତି ବିପକ୍ଷ ଦଳର ବ୍ୟାଟରଙ୍କୁ ଆଉଟ୍‌ କରିବାର ସମ୍ଭାବନାକୁ ପ୍ରଭାବିତ କରିପାରେ ।

ଏଥିସହ ଭାରତ ବୋଲିଂ ଅଲରାଉଣ୍ଡର ପରିବର୍ତ୍ତେ ନିମ୍ନ କ୍ରମରେ ଶାର୍ଦ୍ଦୁଲ ଠାକୁରଙ୍କୁ ଖେଳାଇ ବ୍ୟାଟିଂ ଗଭୀରତା ବୃଦ୍ଧି ଉପରେ ଧ୍ୟାନ ଦେଇଛି । ଏଭଳି ପରିସ୍ଥିତିରେ ମହମ୍ମଦ ସାମି, ମହମ୍ମଦ ସିରାଜ କିମ୍ବା ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଗୁଣାତ୍ମକ ବୋଲରଙ୍କୁ ବସିବାକୁ ପଡିପାରେ । ହେଲେ ୪୪ଟି ODIରୁ ଶାର୍ଦୁଲଙ୍କ ଇକୋନୋମି ୬.୨୪ ରହିଛି, ଯାହା ଏକ ପ୍ରଭାବୀ ସଂଖ୍ୟା ନୁହେଁ । ଆହୁରି ମଧ୍ୟ, ସାମ୍ପ୍ରତିକ ସମୟରେ କ୍ରମାଗତ ପରିବର୍ତ୍ତନ ଭାରତୀୟ ଦଳରେ ସନ୍ତୁଳିତ ମିଶ୍ରଣକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଛି । ଦଳକୁ ମଧ୍ୟକ୍ରମର ପ୍ରାଥମିକତାକୁ ପ୍ରଥମେ ସଜାଡ଼ିବାକୁ ପଡିବ । ବିଶ୍ବକପ୍‌ ଭଳି ବଡ଼ ଇଭେଣ୍ଟ ପୂର୍ବରୁ ବ୍ୟାଟିଂ କ୍ରମରେ ଗଭୀରତା ପାଇଁ ତିନୋଟି ବିଶେଷଜ୍ଞ ପେସର୍ ବା ତିନୋଟି ସ୍ପିନ୍ ଅପ୍ସନ୍ ବା ଜଣେ ଅଲରାଉଣ୍ଡର ଖେଳାଇବା ନିଷ୍ପତି କରିବା ଉଚିତ । ଆଉ ଗୋଟିଏ କଥା ହେଉଛି ରୋହିତ ବାହିନୀ ସତର୍କତାର ସହିତ ଖେଳିବା ପାଇଁ ଜଣାଶୁଣା ଏବଂ ଏହା ଫ୍ଲାଟ ପିଚ୍‌ରେ ଦଳକୁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହିପରି ଆଭିମୁଖ୍ୟ ଭାରତକୁ ଶକ୍ତିଶାଳୀ ବିରୋଧୀ ବିପକ୍ଷରେ ଏକ ଛୋଟ ସ୍କୋରରେ ସୀମିତ ରଖିପାରେ ।

ଏହା ମଧ୍ୟ ପଢ଼ନ୍ତୁ...ETV BHARAT EXCLUSIVE: ବିଶ୍ୱକପ୍‌ ୨୦୨୩ ଅକ୍ଷରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା: ସଂଶିପ ପଟେଲ

ଭାରତୀୟ ଦଳ ପାଇଁ ଚେତାବନୀ: ଭାରତର ସବୁଠୁ ବଡ ଆହ୍ବାନ ହେଉଛି ଫ୍ଲାଟ୍‌ ପିଚ୍‌ରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଆକ୍ରମଣାତ୍ମକ ବ୍ୟାଟର ଥିବା ଦଳକୁ ସାମ୍ନା କରିବା । ଏଥିସହ ଗତ କିଛିବର୍ଷ ମଧ୍ୟରେ ବିଶ୍ବକପ୍ ନକ୍ଆଉଟ୍‌ରେ ଭାରତର ପ୍ରଦର୍ଶନକୁ ବିଚାରକୁ ନେଇ ଏବଂ ଦଳର ବ୍ୟାଟିଂ ୟୁନିଟ୍‌କୁ ବଡ଼ ଷ୍ଟେଜ୍ ବା ସ୍କୋରବୋର୍ଡର ଚାପରେ ପ୍ରଭାବିତ ନହୋଇ ମୈଦାନକୁ ଓହ୍ଲାଇବାକୁ ପଡିବ ।

ଭାରତୀୟ ଦଳ ପାଇଁ ସୁଯୋଗ: ଦିନିକିଆରେ ନିଜର ଧୂଆଁଧାର ଫର୍ମ ଜାରି ରଖି ବିଶ୍ବ କ୍ରିକେଟ୍‌ରେ ରାଜ୍‌ କରିବାର ବଡ଼ ସୁଯୋଗ ଶୁଭମନ ଗିଲଙ୍କ ପାଖରେ ରହିଛି । ସେ ଏହି ଫର୍ମାଟରେ ହାରାହାରି ୭୨.୩୫ ସହିତ ୧୨୩୦ ରନ୍ ସଂଗ୍ରହ କରିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବରେ ଦେଖାଯାଉଛି । ଏବଂ ଜଣେ କ୍ରିକେଟରଙ୍କ ପାଇଁ ନିଜକୁ ପ୍ରମାଣ କରିବାକୁ ଏହା ହେଉଛି ଉପଯୁକ୍ତ ସୁଯୋଗ । ସେହିଭଳି ଈଶାନ କିଷାନ ହେଉଛନ୍ତି ଅନ୍ୟ ଜଣେ ଯୁବତାରକା, ଯିଏକି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଲେ ନିଜର ବ୍ୟାଟିଂ ଓ ୱିକେଟ୍ କିପିଂ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ତାଙ୍କ ନିକଟରେ ଆକ୍ରମଣାତ୍ମକ ବ୍ୟାଟିଂ ସହିତ ବୋଲିଂ ଆକ୍ରମଣକୁ ଭାଙ୍ଗିବାର କ୍ଷମତା ରହିଛି । ତେବେ ମୋଟାମୋଟି ଭାବେ ଘରୋଇ ମାଟିରେ ବିଶ୍ବକପ୍‌ ଖେଳିବା ଭାରତୀୟ ଦଳ ପାଇଁ ଅଧିକ ସୁଯୋଗ ଆଣିଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details