ଚେନ୍ନାଇ: ଜାତିକୁ ନେଇ ଏକ ବୟାନ ପରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ସୁରେଶ ରାଇନାଙ୍କ ଏକ ମନ୍ତବ୍ୟକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ସହ ତାଙ୍କ ବିପକ୍ଷରେ କଡ଼ା ଟିପ୍ପଣୀ କରିଛନ୍ତି । ତାମିଲନାଡ଼ୁ ପ୍ରିମିୟର ଲିଗର ପଞ୍ଚମ ସିଜିନ ପ୍ରାରମ୍ଭିକ ମ୍ୟାଚରେ କମେଣ୍ଟ୍ରି ପ୍ୟାନେଲରେ ଯୋଗ ଦେବା ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାଇନା ।
ତାମିଲନାଡ଼ୁ ପ୍ରିମିୟର ଲିଗ୍ ପ୍ରାରମ୍ଭିକ ମ୍ୟାଚର କମେଣ୍ଟ୍ରି ପ୍ୟାନେଲକୁ ଆମନ୍ତ୍ରିତ ହୋଇଥିଲେ ସୁରେଶ ରାଇନା । ସୋମବାର ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯାଇଥିଲା । କମେଣ୍ଟ୍ରି କରିବା ବେଳେ ସୁରେଶ ରାଇନାଙ୍କୁ ଜଣେ କମେଣ୍ଟେଟର ପଚାରିଥିଲେ ଯେ, ସେ ଦକ୍ଷିଣ ଭାରତର ସଂସ୍କୃତିକୁ କିଭଳି ଭାବରେ ଆପଣାଇଥିଲେ । ଜବାବରେ ରାଇନା କହିଥିଲେ ଯେ, "ମୁଁ ବ୍ରାହ୍ମଣ ହୋଇଥିବାରୁ ଚେନ୍ନାଇ ସଂସ୍କୃତିକୁ ଆପଣାଇବା ମୋ ପାଇଁ ସହଜ ହୋଇଥିଲା । ଏହାସହ ମୁଁ ୨୦୦୪ ମସିହାରୁ ଚେନ୍ନାଇରେ କ୍ରିକେଟ ଖେଳି ଆସୁଛି । ବ୍ରାହ୍ମଣ ହୋଇଥିବାରୁ ଏଠାକାର ସଂସ୍କୃତି ମୋତେ ଭଲ ଲାଗେ । ମୁଁ ଅନିରୁଦ୍ଧ ଶ୍ରୀକାନ୍ତ, ସୁବ୍ରମଣ୍ୟମ ବିଦ୍ରିନାଥ ଓ ଲକ୍ଷ୍ମୀପତି ବାଲାଜୀଙ୍କ ସହ ଖେଳି ସାରିଛି । ଏଠାରୁ ଆପଣ ବହୁତ କିଛି ଶିଖି ପାରିବେ । ସିଏସକେ ସହ ଯୋଡ଼ି ହୋଇ ରହିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମଣୁଛି ।"