ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଖେଳାଳି ହିସାବରେ ତାଙ୍କର ଯେତିକି ଖ୍ୟାତି ରହିଛି, ବଡ଼ ବଡ଼ ସିନେ ତାରକାଙ୍କଠାରୁ ମଧ୍ୟ କୋହଲିଙ୍କର ଫ୍ୟାନ୍ ଫଲୋୟର୍ସ ଢେର ଅଧିକ । କେବଳ ବର୍ତ୍ତମାନ ନୁହେଁ, ବିଶ୍ବ କ୍ରିକେଟ୍ ଇତିହାସରେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଏହି ଭେଟେରାନ ବ୍ୟାଟର । ଭାରତ ସମେତ ସମଗ୍ର ବିଶ୍ବରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ବିଭିନ୍ନ ମ୍ୟାଚ୍ରେ ତାଙ୍କର ଟିକିଏ ଝଲକ ପାଇବାକୁ କାହିଁ କେତେ ଦୂରରୁ ଛୁଟିଥାଏ ପ୍ରଶଂସକଙ୍କ ସୁଅ । ଏବେ ଦିନିକିଆ ବିଶ୍ବକପ୍ ପାଖେଇ ଆସୁଥିବାରୁ ପୁଣିଥରେ ବଢ଼ିଚାଲିଛି କୋହଲିଙ୍କ କ୍ରେଜ୍ ।
ଆସନ୍ତା ଦିନିକିଆ ବିଶ୍ବକପ୍ ମହାକୁମ୍ଭ ପାଇଁ ବାଜି ସାରିଛି ବିଗୁଲ୍ । ଏବେଯାଏଁ ଯଦିଓ ଏଥିପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା ହୋଇନି, ହେଲେ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପ୍ରମୁଖ ସଦସ୍ୟ ହେଉଛନ୍ତି ବିରାଟ କୋହଲି । ତେବେ କୋହଲିଙ୍କୁ ନେଇ ଏବେ ଅନ୍ୟ ଏକ କାରଣରୁ ଚର୍ଚ୍ଚା ଲାଗି ରହିଛି । ବିଶ୍ବକପ ପୂର୍ବରୁ ବିରାଟଙ୍କୁ ଉପହାର ମିଳିବ ହୀରାରେ ତିଆରି ବ୍ୟାଟ୍ । ସୁରଟର ଜଣେ ବ୍ୟବସାୟୀ ବିରାଟଙ୍କୁ ଡାଇମଣ୍ଡ ବ୍ୟାଟ୍ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ବିରାଟ କୋହଲିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ସୁରଟର ଖ୍ୟାତନାମା ବ୍ୟବସାୟୀ କୋହଲିଙ୍କୁ ଏହି ବଡ଼ ଉପହାର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ବିଶ୍ବକପ୍ ପୂର୍ବରୁ ବିରାଟଙ୍କୁ ସେ ଏକ ଡାଇମଣ୍ଡ୍ ବ୍ୟାଟ୍ ଗିଫ୍ଟ କରିବେ ବୋଲି ଜଣାଇଛନ୍ତି ।