ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ବାକି ଥିବା ଦୁଇଟି ଟେଷ୍ଟ ମ୍ୟାଚ ଭାରତୀୟ ଦଳରେ ସାମିଲ ହେଲେ ଯୁବ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା । ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ସହ ଖେଳା ଯାଇଥିବା ତିନିଟି ଟେଷ୍ଟ ମଧ୍ୟରୁ ଗୋଟିଏ ମ୍ୟାଚ ଭାରତ ଜିତଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ଇଂଲଣ୍ଡ । ଫଳରେ ସରିଜ୍ ୧-୧ରେ ବରାବର ରହିଛି ।
ସେପ୍ଟେମ୍ବର ୨ ତାରିଖରୁ ଓଭାଲ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତ ଚୂଡ଼ାନ୍ତ ଏକାଦଶରେ କେତେକ ପରିବର୍ତ୍ତନ ଦେଖାଯାଇପାରେ ବୋଲି ଆଲୋଚନା ହୋଇଛି । ଖୋଦ ଅଧିନାୟକ ବିରାଟ କୋହଲି ମଧ୍ୟ ତୃତୀୟ ଟେଷ୍ଟ ମ୍ୟାଚ ଶେଷ ହେବାପରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାକୁ ନେଇ ଇଶାରା ଦେଇଥିଲେ । ଯାହାର ପରିଣାମ ସ୍ବରୂପ ଦଳରେ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନ ସାମିଲ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି । ଏହାଛଡ଼ା ବର୍ତ୍ତମାନ ସୁଦ୍ଧା କୌଣସି କମାଲ କରିନଥିବା ଆଜିଙ୍କ୍ୟ ରାହାଣେ ଓଭାଲ ଟେଷ୍ଟ ଖେଳିବା ନେଇ ସନ୍ଦେହ ଦେଖାଦେଇଛି ।