ବ୍ରିସବେନ୍ : ଆଫଗାନିସ୍ତାନ ବିଶ୍ବକପ ବିଜୟ ରାସ୍ତାରେ ଖଳନାୟକ ସାଜିଲା ସିଂହଳୀ ଦଳ । ଆଫଗାନିସ୍ତାନର T20 ବିଶ୍ବକପ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଛି । ଆଜି ଶ୍ରୀଲଙ୍କାଠାରୁ ୬ ୱିକେଟରେ ପରାସ୍ତ ହେବା ପରେ ଆଫଗାନିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ବନ୍ଦ ହୋଇଯାଇଛି । ଆଫଗାନିସ୍ତାନ ସେମିରେ ପ୍ରବେଶ କରବା ଲକ୍ଷ୍ୟ ନେଇ ମଇଦାନରେ ଓହ୍ଲାଇଥିଲା । ଶ୍ରୀଲଙ୍କା ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରି ନିଜର ସେମି ଫାଇନାଲରେ ପ୍ରବେଶ କରିବା ଆଶା ଉଜ୍ଜିବୀତ କରିଛି ।
ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ୍ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ୧୮.୩ ଓଭରରେ ୪ ୱିକେଟ ହରାଇ ୧୪୮ ରନ୍ କରିଥିଲା । ୧୪୫ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ପଥୁମ ନିଶଙ୍କା ଦଳ । ଧନଞ୍ଜୟ ଡି ସିଲଭାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ସହଜରେ ଟାର୍ଗେଟ ହାତେଇବାରେ ସଫଳ ହୋଇଥିଲା । ଧନଞ୍ଜୟ ଡି ସିଲଭା ୪୨ ବଲରୁ ୬ ଟି ଚୌକା ଓ ୨ ଟି ଛକା ସହିତ ୬୬ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି କୁଶଲ ମେଣ୍ଡିସ୍ ୨୫ ରନ୍, ଚରିଥ ଅସଲଙ୍କା ୧୯ ରନ୍, ଭାନୁକା ରଜପକ୍ଷେ ୧୮ ରନ୍ ଓ ପଥୁମ ନିଶଙ୍କା ୧୦ ରନ୍ କରିଥିଲେ ।