ବ୍ରିଷ୍ଟଲ:ଇଂଲଣ୍ଡ ଗସ୍ତରେ ଥିବା ଶ୍ରୀଲଙ୍କା ଟିମର ଖରାପ ବ୍ୟାଟିଂ ପ୍ରଦର୍ଶନ ଜାରି ରହିଛି । ରବିବାର ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆ ମ୍ୟାଚରେ ସଂପୂର୍ଣ୍ଣ 50 ଓଭର ଖେଳିବାକୁ ଅସମର୍ଥ ହୋଇଛି ସିଂହଳ ଟିମ । ଫଳରେ 41.1 ଓଭରରେ ମାତ୍ର 166 ରନରେ ସମସ୍ତ ୱିକେଟ ହରାଇଛି ।
ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଓ ଭ୍ରମଣକାରୀ ଟିମକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ଇଂନିସରେ ତୃତୀୟ ଓଭରରେ ଓପନର କୁଶାଲ ପରେରାଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିବା ଶ୍ରୀଲଙ୍କା 15ତମ ଓଭର ସୁଦ୍ଧା 66 ରନରେ ଅଧା ଖେଳାଳିଙ୍କ ୱିକେଟ ହରାଇ ସାରିଥିଲା ।
ଦାସୁନ ଶନାଙ୍କା ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ 48 ରନର ଇଂନିସ ଖେଳି ସମ୍ମାନ ରଖିଥିଲେ । 5ଜଣ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । ୱାହିନ୍ଦୁ ହସରଙ୍ଗା ଓ ଓସାଦା ଫର୍ନାଣ୍ଡୋ 18 ରନ କରିଥିଲେ ।