ନୂଆଦିଲ୍ଲୀ: ଘରୋଇ ଜିମ୍ବାୱେକୁ ହରାଇ ବିଶ୍ବକପ୍ ଟିକେଟ୍ ହାତେଇଲା ଶ୍ରୀଲଙ୍କା । ଜିମ୍ବାୱେରେ ଜାରି ରହିଥିବା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର ସୁପର୍-୬ ରାଉଣ୍ଡ୍ରେ ରବିବାର ଘରୋଇ ଦଳକୁ ୯ ୱିକେଟ୍ରେ ହରାଇ ବିଶ୍ବକପ୍ ୨୦୨୩ ପାଇଁ ପ୍ରଥମ ଦଳ ଭାବେ ଯୋଗ୍ୟତା ହାସଲ କରିଛି ସିଂହଳୀ ଦଳ । ରବିବାର ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ୯ ୱିକେଟ୍ର ବଡ଼ ବିଜୟ ସହିତ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ମୋଟ ୮ ପଏଣ୍ଟ ହାସଲ କରି ଭାରତ ଆସିବାକୁ ଟିକେଟ୍ ପାଇଛି ଶ୍ରୀଲଙ୍କା । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ୪ ୱିକେଟ ହାସଲ କରି ମହେଶ ତିକ୍ଷାଣା ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ବିଶ୍ବକପ୍ ଯୋଗ୍ୟତା ହାସଲ କରିବା ପାଇଁ ଆଜି ମୁହାଁମୁହିଁ ହୋଇଥିଲେ ଜିମ୍ବାୱେ ଓ ଶ୍ରୀଲଙ୍କା । ତେବେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ସିନ୍ ୱିଲିୟମସଙ୍କ ସଙ୍ଘର୍ଷପୂର୍ଣ୍ଣ ଅର୍ଦ୍ଧଶତକ ଓ ସିକନ୍ଦର ରାଜାଙ୍କ ୩୧ ରନ ବଳରେ ୩୨.୨ ଓଭରରେ ୧୬୫ ରନ ପାଇଁ ସମସ୍ତ ୱିକେଟ ହରାଇଥିଲା । ଦଳର ଅନ୍ୟ କୌଣସି ବ୍ୟାଟର ୨୦ ରନ୍ରୁ ଊର୍ଦ୍ଧ୍ବ ସ୍କୋର କରିପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ମହେଶ ତିକ୍ଷାଣା ସର୍ବାଧିକ ୪ଟି ୱିକେଟ ହାସଲ କରିଥିଲେ । ସେହିଭଳି ଦିଲସାନ ମଦୁଶଙ୍କା ବହୁମୂଲ୍ୟ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ମଥୀଶା ପଥିରାନା ୨ଟି ୱିକେଟ ହାତେଇଥିବା ବେଳେ ଅଧିନାୟକ ସଣକାଙ୍କୁ ଗୋଟିଏ ସଫଳତା ମିଳିଥିଲା ।