ଥିରୁଅନନ୍ତପୁରମ: ପ୍ରଥମ ଓ ଦ୍ବିତୀୟ ଦିନିକିଆ ପରେ ତୃତୀୟ ଦିନିକିଆରେ ମଧ୍ୟ ଚମକିଲେ ଭାରତୀୟ କ୍ରକିକେଟର । ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଆଜି (ରବିବାର) ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯାଇଥିବାବେଳେ ଏଥିରେ ଶ୍ରୀଲଙ୍କାକୁ ୩୯୧ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଆଜିର ମ୍ୟାଚ୍ରେ ଭାରତ ପକ୍ଷରୁ ଯୁବ ବ୍ୟାଟର ଶୁଭମନ ଗିଲ ଓ କିଙ୍ଗ କୋହଲିଙ୍କ ଦମଦାର ଶତକ ଦେଖିବାକୁ ମିଳିଥିଲା ।
କେରଳର ଥିରୁଅନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ତୃତୀୟ ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୯୦ ରନ୍ ସଂଗ୍ରହ କରିଛି । ଏଥିରେ ଅଧିନାୟକ ରୋହିତ ଶର୍ମା ୪୯ ବଲରୁ ୨ଟି ଚୌକା ଓ ୩ଟି ଛକା ସହ ୪୨ ରନ ସଂଗ୍ରହ କରିଥିଲେ । ଏହାପରେ ୧୬ ନମ୍ବର ଓଭରରେ ସେ ଚମିକା କରୁଣାରତ୍ନେଙ୍କ ବଲରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କ ହାତରେ ଧରାପଡ଼ିଥିଲେ । ତେବେ ଅଧିନାୟକଙ୍କ ସହ ପାଳି ଆରମ୍ଭ କରିଥିବା ଯୁବ ତାରକା ଶୁଭମନ ଗିଲ ଓ ବିରାଟ କୋହଲି ପାଳିକୁ ସମ୍ଭାଳି ଶ୍ରୀଲଙ୍କା ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ।
ଶୁଭମନ ଗିଲ ୯୭ଟି ବଲ୍ ଖେଳି ୧୧୬ ବ୍ୟକ୍ତିଗତ ରନ୍ ସଂଗ୍ରହ କରିଥିଲେ । ଏଥିରେ ସେ ୧୪ଟି ଚୌକା ଓ ୨ଟି ଛକା ସାମିଲ କରିଥିଲେ । ଶୁଭମନ ଗିଲ୍ ଆଜିର ମ୍ୟାଚ୍ରେ ୨ୟ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଏହା ପୂର୍ବରୁ ଗିଲ ଜିମ୍ବାୱେ ବିପକ୍ଷରେ ଗତବର୍ଷ ଅଗଷ୍ଟ ମାସରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ । ଏହାପରେ କ୍ରିକେଟ୍ର କିଙ୍ଗ କୋହଲି ୮୫ ବଲରୁ ନିଜର ୭୪ ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଏହାପରେ ତୁରନ୍ତ ଶ୍ରାଲଙ୍କା ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ । ଏହି ମ୍ୟାଚ୍ରେ ସେ ମୋଟ ୧୧୦ଟି ବଲ୍ ଖେଳି ୧୩ଟି ଚୌକା ଓ ୮ଟି ଛକା ସହିତ ୧୬୬ ରନ୍ ସଂଗ୍ରହ କରିଛନ୍ତି । କୋହଲିଙ୍କର ଏହା ଥିଲା ୭୪ତମ ଅନ୍ତର୍ଜାତୀୟ ଶତକ । ଦିନିକିଆରେ ସେ ଆଜି ୪୬ତମ ଶତକ ହାସଲ କରିଛନ୍ତି ।
ସେପଟେ ଶ୍ରୀଲଙ୍କା ପକ୍ଷରୁ କସୁନ ରଜିତା ୧୦ ଓଭରରେ ୮୧ ରନ ବ୍ୟୟରେ ୨ଟି ୱିକେଟ ସଂଗ୍ରହ କରିଛନ୍ତି । ସେହିଭଳି ଲାହିରୁ କୁମାରା ୧୦ ଓଭରରେ ୮୭ ରନ ଦେଇ ୨ଟି ୱିକେଟ ନେଇଛନ୍ତି । ଏହା ବ୍ୟତୀତ ଚମିକା କରୁଣାରତ୍ନେ ୮ ଓଭରରେ ୫୮ରନ ବ୍ୟୟ କରି ଗୋଟିଏ ୱିକେଟ ସଂଗ୍ରହ କରିପାରିଛନ୍ତି । ଶ୍ରୀଲଙ୍କା ଅଧିନାୟକ ଦଶୁନ ସଣକା କେବଳ ୩ ଓଭର ବୋଲିଂ କରି ୧୯ ରନ ଦେଇଥିବାବେଳେ କୌଣସି ସଫଳତା ହାସଲ କରିପାରିନଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ