କଲମ୍ବୋ: ଭାରତୀୟ କିମ୍ବଦନ୍ତୀ ବ୍ୟାଟର ବିରାଟ କୋହଲିଙ୍କ କ୍ରେଜ୍ ବିଶ୍ବର କୋଣ ଅନୁକୋଣରେ ଦେଖିବାକୁ ମିଳିଥାଏ । ସେ ଭାରତ ହେଉ ବା ଅନ୍ୟ କେଉଁ ଦେଶ, ଯେଉଁଠାରେ ଖେଳ ହେଉଥିଲେ ମଧ୍ୟ ନିଜ ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି କ୍ରିକେଟ୍ ଜଗତର ଏହି ବାଦଶାହ । କେବଳ କ୍ରିକେଟ ଜଗତ ନୁହେଁ, ଅନେକ କ୍ରିକେଟପ୍ରେମୀଙ୍କ ହୃଦୟରେ ମଧ୍ୟ ରାଜ୍ କରିଥାନ୍ତି କୋହଲି । ସେଥିପାଇଁ ତ, ବିଭିନ୍ନ ସମୟରେ ବିଭିନ୍ନ ପୂର୍ବତନ କ୍ରିକେଟର ଓ କ୍ରିକେଟ୍ପ୍ରେମୀ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥାଆନ୍ତି । ସାମ୍ପ୍ରତିକ ପରିସ୍ଥିତିରେ କ୍ରିକେଟ ଜଗତରେ ନୂଆ ନୂଆ ପାଦ ରଖୁଥିବା ତଥା ଅନେକ କ୍ରିକେଟର ବିରାଟ କୋହଲିଙ୍କୁ ତାଙ୍କର ରୋଲ ମଡେଲ ମାନନ୍ତି । ଏହି କ୍ରମରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ମିଳିଛି ଏକ ଅମୂଲ୍ୟ ଉପହାର । ଶ୍ରୀଲଙ୍କାର ଜଣେ ଜୁନିୟର କ୍ରିକେଟର କୋହଲିଙ୍କୁ ରୂପାରେ ତିଆରି ବ୍ୟାଟ ଉପହାର ଦେଇଛନ୍ତି ।
ଏସିଆ କପ୍ ୨୦୨୩ର ଅନ୍ତିମ ସୁପର-୪ ପର୍ଯ୍ୟାୟ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ ଭାରତ ଗୋଟିଏ ମ୍ୟାଚ୍ ସମ୍ପୂର୍ଣ୍ଣ ଖେଳିପାରିନାହିଁ । ପାକିସ୍ତାନ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅଧାରୁ ବନ୍ଦ ହେବା ପରେ ନେପାଳ ବିପକ୍ଷରେ ମଧ୍ୟ ବର୍ଷା ବାଧକ ସାଜିଥିଲା । ଭାରତର ବ୍ୟାଟିଂ ବେଳକୁ ଓଭର କମ୍ କରି ଡିଏଲ୍ଏସ୍ ନିୟମ ଅନୁଯାୟୀ ଭାରତକୁ ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଏଥିରେ କେବଳ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭାରତକୁ ୧୦ ୱିକେଟ୍ରେ ଜିତାଇଦେଇଥିଲେ । ଫଳରେ ଅନ୍ୟମାନଙ୍କ ବ୍ୟାଟିଂ ଦେଖିବାକୁ ମିଳିନଥିଲା । ଆଜି ପାକିସ୍ତାନ ବିପକ୍ଷ ସୁପର-୪ ପର୍ଯ୍ୟାୟ ମ୍ୟାଚ୍ର ସ୍ଥିତି ମଧ୍ୟ ସମାନ । ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ବର୍ଷା ବାଧକ ସାଜିଛି ।