ହାଇଦ୍ରାବାଦ: ହାଇପ୍ରୋଫାଇଲ୍ ଘରୋଇ କ୍ରିକେଟ୍ ଲିଗ୍ ଆଇପିଏଲ୍ରେ ଜଣେ ସଫଳ ଖେଳାଳୀ ଭାବେ ନିଜ କ୍ୟାରିୟର ଶେଷ କରିଛନ୍ତି କ୍ରିକେଟର ଅମ୍ବାତି ରାୟୁଡୁ । ଆଇପିଏଲ୍ ୨୦୨୩ ଫାଇନାଲ୍ ପୂର୍ବରୁ ଏହା ତାଙ୍କର ଶେଷ ସିଜିନ୍ ବୋଲି ସେ ଟ୍ବିଟ୍ କରି ସ୍ପଷ୍ଟ କରିଥିଲେ । ତେବେ କ୍ରିକେଟ୍ ପରେ ଖୁବ୍ଶୀଘ୍ର ସେ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । କ୍ରିକେଟର୍ ଅମ୍ବାତି ରାୟୁଡୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSR କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ରାୟୁଡୁ ଏକାଧିକ ଥର ଭେଟିଛନ୍ତି । ଯାହାକୁ ନେଇ ସେ YSR କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି ଯେ, ଖୁବଶୀଘ୍ର ରାୟୁଡୁ ଜଗନ ମୋହନଙ୍କ YSR କଂଗ୍ରେସରେ ସାମିଲ୍ ହେବେ । ଏଥିପାଇଁ ସେ ଜଗନଙ୍କ ସହ ଆଲୋଚନା କରି ସାରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ, ରାୟୁଡୁ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଥିବା ଜଣାପଡ଼ିଛି । ଆଗାମୀ ଲୋକସଭା ନିର୍ବାଚନରେ ଗୁଣ୍ଟୁର୍ କିମ୍ବା କୃଷ୍ଣା ଆସନରୁ ସେ ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି । ଏହାରି ମଧ୍ୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ରାୟୁଡୁଙ୍କୁ ପ୍ରଶଂସା କରିଛନ୍ତି । ରାୟୁଡୁଙ୍କ ଭଳି ୟଙ୍ଗ ବ୍ରିଗେଡ୍ ରାଜନୀତିକୁ ଆସିବା ଜରୁରୀ ବୋଲି ଜଗନ୍ ମଧ୍ୟ କହିଛନ୍ତି । ଯାହା ରାୟୁଡୁଙ୍କ ରାଜନୈତିକ ଇନିଂସ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ।