ପର୍ଲ(ଦକ୍ଷିଣ ଆଫ୍ରିକା):ପୂର୍ବତନ ଭାରତୀୟ କ୍ୟାପଟେନ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍ରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଛନ୍ତି । ପର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚ୍ରେ କୋହଲି ୫ଟି ବଲ୍ର ସାମ୍ନା କରି ବାମହାତୀ ସ୍ପିନର କେଶବ ମହାରାଜଙ୍କ ବଲ୍ରେ ଆଉଟ୍ ହୋଇଛନ୍ତି ।
ବିରାଟ ନିଜର ସଟ୍ ଖେଳିବାକୁ ଯାଇ ଶେଷ ମୂହୂର୍ତ୍ତରେ ମନପରିବର୍ତ୍ତନ କରିଥିବା ଦେଖିଯାଇଥିଲା । ଫଳସ୍ବରୂପ ଅଳସୁଆ ପ୍ରୟାସରେ ଭାରତୀୟ ଇଂନିସର ୧୩ତମ ଓଭରରେ ନିଜର ୱିକେଟ ହରାଇଥିଲେ । ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୦-୧ରେ ପଛୁଆ ଥିବା ଭାରତ ପାଇଁ ଏହି ମ୍ୟାଚ୍ 'କର ବା ମର' ସଦୃଶ ହୋଇଛି । କ୍ୟାପଟେନ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ଏକଦିବସୀୟ କ୍ରିକେଟରେ ଶୂନରେ ଆଉଟ୍ ହେବାରେ ବିରାଟ କୋହଲିଙ୍କ ଏହା ୧୪ତମ ଅବସର ହୋଇଛି । ଏହାମଧ୍ୟ ପ୍ରଥମ ଥର ପାଇଁ ଯେ, ଜଣେ ସ୍ପିନରଙ୍କ ଦ୍ବାରା ୫୦ ଓଭର ଫର୍ମାଟରେ ବିରାଟ ବିନା କୌଣସି ରନ୍ କରି ଆଉଟ୍ ହୋଇଛନ୍ତି । ଶୁକ୍ରବାର ଶୂନରେ ଆଉଟ୍ ହେବାପରେ କୋହଲି, ଏକଦିବସୀୟ କ୍ରିକେଟରେ ସର୍ବାଧିକ ଶୂନରେ ଆଉଟ୍ ହୋଇଥିବାର ଅଲୋଡା ରେକର୍ଡ ତାଲିକାରେ ପୂର୍ବତନ କ୍ୟାପଟେନ ଓ ବର୍ତ୍ତମାନର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ କପିଳ ଦେବଙ୍କୁ ଟପିଯାଇଛନ୍ତି ।
ଦିନିକିଆ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଭାରତୀୟ ଖେଳାଳି
- ସଚିନ ତେନ୍ଦୁଲକର ୨୦ ଥର
- ଜଗଭଲ ଶ୍ରୀନାଥ ୧୯ ଥର
- ଅନିଲ କୁମ୍ବଲେ ୧୮ ଥର
- ଯୁବରାଜ ସିଂହ ୧୮ ଥର
- ହରଭଜନ ସିଂହ ୧୭ ଥର
- ସୌରଭ ଗାଙ୍ଗୁଲି ୧୬ ଥର
- ଜାହିର ଖାନ- ୧୪ ଥର
- ବିରାଟ କୋହଲି ୧୪ ଥର
- ସୁରେଶ ରାଇନା ୧୪ ଥର
- ବିରେନ୍ଦ୍ର ସେହ୍ବାଗ- ୧୪ ଥର
- ରାହୁଲ ଦ୍ରାବିଡ- ୧୩ ଥର
- କପିଳ ଦେବ- ୧୩ ଥର
ଅନ୍ତର୍ଜାତୀୟ କ୍ରିକେଟରେ ୬୪ଟି ଇଂନିସରେ ବିରାଟ କୋହଲି କୌଣସି ଶତକ ହାସଲ କରିପାରିନାହାନ୍ତି । ଏହି ସମୟ ମଧ୍ୟରେ ସପ୍ତମ ଥର ସେ ଶୂନରେ ଆଉଟ୍ ହୋଇଛନ୍ତି ।