ହାଇଦ୍ରାବାଦ:ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଅନ୍ତିମ ଟି ଟ୍ବେଣ୍ଟି ମ୍ୟାଚ । ଭାରତ ପାଇଁ କର ବା ମର ପରିସ୍ଥିତି । ଦ୍ବିତୀୟ ମ୍ୟାଚରେ ପରାଜିତ ହୋଇଥିବାରୁ ଆଜିର ମ୍ୟାଚରେ ବିଜୟୀ ହେବା ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ସିରିଜ 1-0ରେ ରହିଛି । ଆଜିର ମ୍ୟାଚରେ ଭାରତ ବିଜୟୀ ହେଲେ ସିରିଜ ବରାବର ହେବ । ଯଦି ଦକ୍ଷିଣ ଆଫ୍ରିକା ବିଜୟୀ ହୁଏ ତେବେ ସିରିଜ କବଜା କରିବ । କିନ୍ତୁ ଦକ୍ଷିଣ ଆଫ୍ରିକାର ଏହି ସ୍ବପ୍ନରେ ବ୍ରେକ ଲଗାଇବାକୁ ଭାରତୀୟ ଖେଳାଳି ଜୋରଦାର ଉଦ୍ୟମ କରିବେ । ପୂର୍ବ ମ୍ୟାଚର ତ୍ରୁଟିକୁ ସୁଧାରି ମେନ୍ ଇନ୍ ବ୍ଲୁ' ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।
ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଏହାପରେ ଦ୍ବିତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକାର ଜିକେବେରହାସ୍ଥିତ ସେଣ୍ଟ୍ ଜର୍ଜ୍ ପାର୍କ ଠାରେ ଖେଳାଯାଇଛିଲା । ସେଠାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । ପ୍ରଥମ ପାଳିରେ ଭାରତ ବ୍ୟାଟିଂ କରି 7 ଓ୍ବିକେଟ ହରାଇ 170ରେ ଅଟକିଥିଲା । କିନ୍ତୁ 3ଟି ବଲ ବାକି ଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଶେଷ ହେବା ପରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କରିଥିଲା । ଡକ ଓ୍ବାର୍ଥ ଲୁଇସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକା 15ଓଭରରେ 152 ରନ୍ କରି ବିଜୟୀ ହୋଇଥିଲା । ଆଜି ଅନ୍ତିମ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ । ସିରିଜ ହାତେଇବାରେ ଦକ୍ଷିଣ ଆଫ୍ରିକା ରାସ୍ତାରେ କଣ୍ଟା ସାଜିବ ଭାରତ ।