ଓଡିଶା

odisha

ETV Bharat / sports

ବିପଦରେ ଦକ୍ଷିଣ ଆଫ୍ରିକାର ଦିନିକିଆ ବିଶ୍ବକପ ଯୋଗ୍ୟତା ଅର୍ଜନ

ଆସନ୍ତାବର୍ଷ ଭାରତରେ ଖେଳାଯିବାକୁ ଥିବା ICC ପୁରୁଷ କ୍ରିକେଟ ବିଶ୍ବକପ ପାଇଁ ଦକ୍ଷିଣ ଆଫ୍ରିକା ଟିମର ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ସଙ୍କଟରେ ପଡିଯାଇଛି । ବର୍ତ୍ତମାନ ଦକ୍ଷିଣ ଆଫ୍ରିକୀୟ ଟିମ ICC ସୁପର ଲିଗ ସୂଚୀର ଏକାଦଶ ସ୍ଥାନରେ ରହିଛି । ଆସନ୍ତାବର୍ଷ ଅର୍ଥାତ ବର୍ଷ 2023ରେ ଭାରତରେ ଖେଳାଯିବାକୁ ଥିବା ICC ପୁରୁଷ ଦିନିକିଆ ବିଶ୍ବକପ ପାଇଁ ସୁପର ଲିଗ ପଏଣ୍ଟ ଟେବୁଲର କେବଳ ଶୀର୍ଷ 8ଟି ଟିମ ଯୋଗ୍ୟତା ଅର୍ଜନ କରିବା ନେଇ ନିୟମ ରହିଛି । ଅଧିକ ପଢନ୍ତୁ

Proteas suffer big blow to world cup qualifications after withdrawing from ODI series against Australia
ବିପଦରେ ଦକ୍ଷିଣ ଆଫ୍ରିକାର ଦିନିକିଆ ବିଶ୍ବକପ ଯୋଗ୍ୟତା ଅର୍ଜନ

By

Published : Jul 14, 2022, 2:26 PM IST

ହାଇଦ୍ରାବାଦ:କ୍ରିକେଟ, କେବେ ଭଦ୍ର ଲୋକଙ୍କ ମନୋରଞ୍ଜନର ମାଧ୍ୟମ ଥିଲା । ମାତ୍ର ଏବେ ମୋଟାଅଙ୍କର ଅର୍ଥ ଉପାର୍ଜନର ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି । କ୍ରିକେଟ ଜଗତରେ ସଜସଜ ଏପରି ଏକ ଘଟଣା ଘଟିଛି, ଯାହା ଏହା ଉକ୍ତିକୁ ପ୍ରମାଣିତ କରୁଛି । ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ(CA) ସହିତ ଆସନ୍ତା ଜାନୁଆରୀ ମାସରେ(2023) ଏକ ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଅସମର୍ଥ ବୋଲି କହିଛି ।

ଏହାର କାରଣ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଏହ ଫ୍ରାଞ୍ଚାଇଜ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୋଲି ଦର୍ଶାଯାଇଛି । ଟିମର ଷ୍ଟାର ଖେଳାଳି ଏହି ଲିଗ୍‌ରେ ବ୍ୟସ୍ତ ରହିବେ ଫଳରେ ଅଷ୍ଟ୍ରେଲିଆରେ ଜାନୁଆରୀ ମାସରେ ଖେଳାଯିବାକୁ ଥିବା 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରୁ ଓହରିଯାଇଛି ଦକ୍ଷିଣ ଆଫ୍ରିକା । ଏହି କାରଣରୁ ଆସନ୍ତାବର୍ଷ ଭାରତରେ ଖେଳାଯିବାକୁ ଥିବା ICC ପୁରୁଷ କ୍ରିକେଟ ବିଶ୍ବକପ ପାଇଁ ଦକ୍ଷିଣ ଆଫ୍ରିକା ଟିମର ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ସଙ୍କଟରେ ପଡିଯାଇଛି ।

ଆଇସିସି ସୁପର ଲିଗ ପଏଣ୍ଟ ଟେବୁଲ

ବର୍ତ୍ତମାନ ଦକ୍ଷିଣ ଆଫ୍ରିକୀୟ ଟିମ ICC ସୁପର ଲିଗ ସୂଚୀର ଏକାଦଶ ସ୍ଥାନରେ ରହିଛି । ଆସନ୍ତାବର୍ଷ ଅର୍ଥାତ ବର୍ଷ 2023ରେ ଭାରତରେ ଖେଳାଯିବାକୁ ଥିବା ICC ପୁରୁଷ ଦିନିକିଆ ବିଶ୍ବକପ ପାଇଁ ସୁପର ଲିଗ ପଏଣ୍ଟ ଟେବୁଲର କେବଳ ଶୀର୍ଷ 8ଟି ଟିମ ଯୋଗ୍ୟତା ଅର୍ଜନ କରିବା ନେଇ ନିୟମ ରହିଛି । ଆସନ୍ତାବର୍ଷ ଜାନୁଆରୀ ମାସରେ ଅଷ୍ଟ୍ରେଲିଆ ସହ 3 ମ୍ୟାଚ୍‌ ବିଶିଷ୍ଟ ଖେଳିବା ନେଇ କ୍ରିକେଟ ଦକ୍ଷିଣ ଆଫ୍ରିକାର ସୂଚୀ ରହିଥିଲା ।

ମାତ୍ର ଦକ୍ଷିଣ ଆଫ୍ରିକା ବୋର୍ଡ, ଯେପରି ସେମାନଙ୍କର ନୂଆ ଘରୋଇ ଟି20 ଲିଗ ସହ ଏହି ସିରିଜର ସମୟ ଧକ୍କା ନହୁଏ ସେଥିପାଇଁ ଦ୍ବିପାକ୍ଷିକ ଦିନିକିଆ ସିରିଜ ସୂଚୀକୁ ପୁନଃ ଧାର୍ଯ୍ୟ କରିବାକୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ କହିଛି । ମାତ୍ର କ୍ରିକେଟ ଅଷ୍ଟ୍ରେଲିଆ CEO ନିକ ହକଲେ, ନୂଆ ତାରିଖ ଧାର୍ଯ୍ୟ ପାଇଁ ବୋର୍ଡ ଅସମର୍ଥ କାରଣ ପୂର୍ବରୁ ଟିମର ସମସ୍ତ ମ୍ୟାଚ୍‌ ସୂଚୀ ନିର୍ଦ୍ଧାରିତ ହୋଇସାରିଛି ବୋଲି ସଫାସଫା ଶୁଣାଇଛନ୍ତି ।

ଫଳରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର 2023 ଦିନିକିଆ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବା ବଡ ଆହ୍ବାନ ହୋଇଛି । ତେମ୍ବା ବାଭୁମାଙ୍କ ଟିମ ପାଖରେ ସୁପର ଲିଗ ଅବଧି ଶେଷ ପୂର୍ବରୁ ଭାରତ ଓ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ରହିଛି । ନେଦରଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ମଧ୍ୟ ଦୁଇଟି ଦିନିକିଆ ମ୍ୟାଚ୍‌ ଖେଳିବାର ସୂଚୀ ରହିଛି । ମାତ୍ର ଭାରତ ଓ ଇଂଲଣ୍ଡ ଭଳି ଦୁଇ ଶକ୍ତିଶାଳୀ ଟିମ ବିପକ୍ଷରେ ସିରିଜ ବିଜୟ ସହ ବିଶ୍ବକପ ଖେଳିବା ଏକପ୍ରକାର କଷ୍ଟକର ବୋଲି କ୍ରିକେଟ ବିଶେଷଜ୍ଞ ମତ ଦେଇଛନ୍ତି ।

ଅନ୍ୟପଟେ ଅଷ୍ଟ୍ରେଲିଆ ଟିମ ବର୍ତ୍ତମାନ 12ଟି ମ୍ୟାଚ୍‌ରୁ 70 ପଏଣ୍ଟ ସହ ସୁପର ଲିଗ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ରହିଛି । ତେବେ ଆସନ୍ତା ମାସରେ ଅର୍ଥାତ ଅଗଷ୍ଟ ମାସରେ ଜିମ୍ବାୱେ ସହ 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ରହିଥିବାରୁ କଙ୍ଗାରୁ ଟିମ ନିକଟରେ ପଏଣ୍ଟ ଟେବୁଲର ଶୀର୍ଷ ଭାଗରେ ପହଞ୍ଚିବାର ସମସ୍ତ ସମ୍ଭାବନା ରହିଛି । ଏଥିସହ ଶୀର୍ଷ 8ଟି ଟିମ ମଧ୍ୟରେ ରହି ଆଗାମୀ ସଂସ୍କରଣର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୁରକ୍ଷିତ ଭାବେ ଯୋଗ୍ୟତା ଅର୍ଜନ କରିବା ସୁଯୋଗ ରହିଛି ।

ମାତ୍ର କ୍ରିକେଟ ଦକ୍ଷିଣ ଆଫ୍ରିକା ଆଗରେ ଦେଶପ୍ରେମ ଆଗରେ ଅର୍ଥ ଉପାର୍ଜନ ଅଧିକ ଆବଶ୍ୟକୀୟ ସାବ୍ୟସ୍ତ ହୋଇଥିବା କ୍ରିକେଟ ମହଲରେ ଚର୍ଚ୍ଚା ହେଉଛି । ଟିମର ବିଶ୍ବକପ ଯୋଗ୍ୟତା ଅର୍ଜନକୁ ବିପଦରେ ପକାଇ ଟି20 ଲିଗ ପାଇଁ ପ୍ରସ୍ତୁତ ହେବା ଓ ଦ୍ବିପାକ୍ଷିକ ଅନ୍ତର୍ଜାତୀୟ ସିରିଜରୁ ଓହରିବା ବିକଳ୍ପ ବାଛିବା ମଧ୍ୟ କ୍ରିକେଟ ପ୍ରେମୀ ସହଜରେ ହଜମ କରିପାରିନାହାନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଭବିଷ୍ୟତରେ ଫ୍ରାଞ୍ଚାଇଜ ଲିଗ କ୍ରିକେଟ ଆହ୍ବାନ ହେବାକୁ ଯାଉଥିବା ମଧ୍ୟ କେହି କେହି ମତଦେବା ଆରମ୍ଭ କରିଛନ୍ତି ।

ABOUT THE AUTHOR

...view details