କେପଟାଉନ: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପର ସେମିଫାଇନାଲ ମ୍ୟାଚ ଶେଷ ହୋଇଛି । ଦ୍ବିତୀୟ ସେମିଫାନାଲରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ । 6 ରନରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ କରି ଏହି ଯୋଗ୍ୟତା ହାସଲ କରିଛି । ଫଳରେ ଆସନ୍ତାକାଲି(ରବିବାର) ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଡିଫେଣଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ ।
ଗତକାଲି ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା । ଫଳରେ 4 ଓ୍ବିକେଟ ହରାଇ 164 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଦଳ । ଆରମ୍ଭରୁ ଲାଓରା ଉଲଭର୍ଟ ଓ ବ୍ରିଟ୍ସ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ 96ରେ ପହଞ୍ଚାଇଥିଲେ । ଏହାପରେ 53 ରନ କରି ପାଭିଲିୟନକୁ ଫେରିଥିଲେ ଉଲଭାର୍ଟ । ତୃତୀୟରେ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲେ ମାରିଜନେ କାପ । ବ୍ରିଟ୍ସ ଓ ମାରିଜନେ ମିଶି ଦଳୀୟ ସ୍କୋରକୁ 142ରେ ପହଞ୍ଚାଇଥିଲେ । ଶେଷରେ 68 ରନ କରି ଆଉଟ ହୋଇଥିଲେ ବ୍ରିଟ୍ସ.। ସେହିପରି କାପ 27 ରନ କରି ଅପରାଜିତ ରହିଥିବା ବେଳେ ଦଳ 20 ଓଭର ଶେଷ ସୁଦ୍ଧା 164 ରନ କରିବାକୁ ସକ୍ଷମ ହୋଇଥିଲା।