ନୂଆଦିଲ୍ଲୀ:ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଟିମ(South Africa) । ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକୀୟ ଖେଳାଳି । ଜୁନ୍ ୯ରୁ ଫଟାଫଟ କ୍ରିକେଟର ଏହି ସିରିଜ ଆରମ୍ଭ ହେବାକୁ ଯାଉଛି । ସିରିଜର ପ୍ରଥମ ମ୍ୟାଚ୍ ଅରୁଣ ଜେଟ୍ଲୀ ଷ୍ଟାଡିୟମ ନୂଆଦିଲ୍ଲୀରେ ଖେଳାଯିବା ନେଇ ସୂଚୀ ରହିଛି । କେଏଲ ରାହୁଲ ଏହି ସିରିଜରେ ଭାରତର ନେତୃତ୍ବ ଭାରତ ତୁଲାଇବେ ଓ ଋଷଭ ପନ୍ତ ଉପ-ଅଧିନାୟକ ରହିବେ ।
ରୋହିତ ଶର୍ମା, ବିରାଟ କୋହଲିଙ୍କୁ ଏହି ଟି୨୦ ସିରିଜରୁ ବିଶ୍ରାମ ଦିଆଯାଇଛି । ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ସଦ୍ୟ ସମାପ୍ତ IPL ୨୦୨୨ରେ ଧମାକାଦାର ପ୍ରଦର୍ଶନ କରି ଜାତୀୟ ଟିମକୁ କମବ୍ୟାକ୍ କରିଛନ୍ତି । ଉମରାନ ମଲିକ ଓ ଅର୍ଶଦୀପ ସିଂ ନୂଆମୁହଁ ଭାବେ ଏହି ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍ରେ ସ୍ଥାନ ପାଇଛନ୍ତି । କାଶ୍ମୀରର ଏକ୍ସପ୍ରେସ ଦ୍ରୁତ ବୋଲର ଆଇପିଏଲ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୧୩ଟି ମ୍ୟାଚ୍ରୁ ୨୧ଟି ୱିକେଟ ହାସଲ କରିବା ପରେ ଭାରତୀୟ ଟିମରେ ସାମିଲ ହୋଇଛନ୍ତି ।
ତେମ୍ବା ବାଭୁମାଙ୍କ ନେତୃତ୍ବରେ ଖେଳିବ ଦକ୍ଷିଣ ଆଫ୍ରିକା ଟିମ । ଜୁନ୍ ୩(ଶୁକ୍ରବାର) ଠାରୁ ଟିମ ଅଭ୍ୟାସ ଆରମ୍ଭ କରିବ । ତେବେ ସମସ୍ତ ବିଦେଶୀ ଖେଳାଳିଙ୍କ ନିୟମିତ RT-PCR ଟେଷ୍ଟ କରାଯିବ । ଅନ୍ୟପଟେ ଜୁନ୍ ୫ର ଭାରତୀୟ ଖେଳାଳି ଜାତୀୟ ରାଜଧାନୀରେ ପହଞ୍ଚିବା ଆରମ୍ଭ କରିବେ । ତେବେ IPL ୨୦୨୨ର କ୍ବାଲିଫାଇଂ ପର୍ଯ୍ୟାୟରେ ଥିବା ଖେଳାଳି ପରେ ସ୍କ୍ବାଡ୍ରେ ସାମିଲ ହେବାନେଇ ସୂଚନା ରହିଛି । ଜାନୁଆରୀରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା ଓ ୩ମ୍ୟାଚ୍ ବିଶିଷ୍ଟ ODI ସିରିଜ ଖେଳିଥିଲା । ମାତ୍ର ଏହି ସିରିଜରେ କ୍ଳିନସୁଇପର ସାମ୍ନା କରିଥିଲା ଭ୍ରମଣକାରୀ ଟିମ । ଫଳରେ ଏଥର ଭାରତୀୟ ଟିମ ଘରୋଇ ମାଟିରେ ଅତିଥି ଟିମକୁ ମାତ୍ ଦେଇ ସିରିଜ ବିଜୟ ହେବା ଲକ୍ଷ୍ୟରେ ରହିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଯାବତ ୧୫ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି । ୧୫ଟି ମ୍ୟାଚ୍ ମଧ୍ୟରୁ ଭାରତ ୯ଟିରେ ବିଜୟୀ ହୋଇଥିବାବେଳେ, ଦକ୍ଷିଣ ଆଫ୍ରିକା ୬ଥର ବିଜୟୀ ହୋଇଛି ।
ଭାରତୀୟ ସ୍କ୍ବାଡ୍: କେଏଲ ରାହୁଲ(କ୍ୟାପଟେନ୍), ଋତୁରାଜ ଗାଏକ୍ବାଡ୍, ଇଶାନ କିଶନ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଋଷଭ ପନ୍ତ(ଭାଇସ-କ୍ୟାପଟେନ୍)(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟସ ଆୟର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂ ଓ ଉମରାନ ମଲିକ ।
ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍: ତେମ୍ବା ବାଭୁମା(କ୍ୟାପଟେନ୍), କ୍ବିଣ୍ଟନ ଡି କକ୍, ରିଜା ହେଣ୍ଡ୍ରିକ୍ସ, ହେନରିତ କ୍ଳାସନ, କେଶବ ମହାରାଜ, ଅଡନ ମାର୍କ୍ରମ, ଡେଭିଡ ମିଲର, ଲୁଙ୍ଗି ନିଙ୍ଗିଡି, ଆନରିଚ ନର୍କିୟା, ୱେନ ପର୍ଣ୍ଣେଲ, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, ତାବରିଜ ସାମସି, ତ୍ରିସ୍ତାନ ଷ୍ଟବ୍ସ, ରସି ଭାନ ଡର ଡୁସେନ ଓ ମାର୍କୋ ଜାନସେନ୍ ।