ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟ୍କା । ଓପନର ଶୁଭମନ ଗିଲ୍ ମାଂସପେଶୀ ଜନିତ ଆହତ ସମସ୍ୟାରେ ପଡିଛନ୍ତି । ଫଳରେ ପ୍ରାୟ 8 ସପ୍ତାହ ପାଇଁ କ୍ରିକେଟ ଖେଳିପାରିବେ ନାହିଁ ବୋଲି ଜଣାପଡିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପରେ ଗିଲ୍ଙ୍କ ମାଂସପେଶୀ ଟାଣି ହୋଇଯାଇଥିବା ଜଣାପଡିଛି । ଫଳରେ ସୁସ୍ଥ ହେବା ପାଇଁ 8 ସପ୍ତାହ ସମୟ ଲାଗିବ । ଏହା ଜଣାପଡିବା ପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କ ସହ ଦ୍ବିତୀୟ ଓପନର ଭାବେ ମୟଙ୍କ ଅଗ୍ରୱାଲ କିମ୍ବା କେଏଲ ରାହୁଲଙ୍କୁ ସୁଯୋଗ ଦେଇପାରନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ WTC ଫାଇନାଲରେ ଗିଲ୍ଙ୍କ ପ୍ରଦର୍ଶନ ପ୍ରଭାବୀ ନଥିଲା । ଉଭୟ ଇଂନିସରେ ସେ ଯଥାକ୍ରମେ 28 ଓ 8 ରନ କରିପାରିଥିଲେ । ପ୍ରଥମ ଇଂନିସରେ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ବଡ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ ଓ ଦ୍ବିତୀୟ ଇଂନିସରେ ନିରାଶ କରିଥିଲେ । ନ୍ୟୁଜିଲାଣ୍ଡ 8 ୱିକେଟରେ ମ୍ୟାଚ ଜିତି ନେବା ସହ ଟେଷ୍ଟ ଗଦା ସହ ସ୍ବଦେଶ ଫେରିଛି ।