ହାଇଦ୍ରାବାଦ:ଟି-୨୦ ବିଶ୍ବକପ ନକ୍ ଆଉଟରୁ ଭାରତ ବିଦା ହେବା ପରେ ଭାରତୀୟ କ୍ରକେଟରଙ୍କୁ ସମାଲୋଚନା କଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି ମହେନ୍ଦ୍ର ସିଂ ଧୋନୀ ଏବଂ ସୌରଭ ଗାଙ୍ଗୁଲିଙ୍କ ପରେ ବିସିସିଆଇକୁ ସଫଳ ଅଧିନାୟକ ମିଳିପାରି ନାହିଁ ଯିଏକି ଟିମ୍ ଇଣ୍ଡିଆର ନେତୃତ୍ବ ଭାରକୁ ଠିକ୍ ଭାବରେ ସମ୍ଭାଳି ପାରିବା ସହିତ ଆଇସିସି ଟ୍ରଫି ଭେଟି ଦେଇପାରିବ । ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ଶୋଚନୀୟ ଭାବରେ ପରାସ୍ତ ହୋଇଛି । ଏନେଇ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ପାକିସ୍ତାନ ଗଣମାଧ୍ୟମ ସମା ଟିଭିରେ କହିଛନ୍ତି, "ଏବେ ଭାରତର ଦୋଷ ଦୁର୍ବଳତା ବାବଦରେ ଆଲୋଚନା କରିବାର ସମୟ ଆସିଛି ।"
ଯଦି ଆପଣ ମ୍ୟାଚ ବିଜୟୀ ହେଉଛନ୍ତି ତାହେଲେ ଆପଣ ଜାଣିବାକୁ ସୁଯୋଗ ପାଇବେ ନାହିଁ କି ଆପଣଙ୍କ ଦଳରେ କେଉଁ ତ୍ରୁଟି ରହିଛି । ଆପଣ ଯେଉଁ ରଣନୀତି ଆପଣାଉଛନ୍ତି ତାହା କେତେ ପ୍ରତିଶତ ସଫଳ ହେବ । ବିଭିନ୍ନ ଦଳ ବିପକ୍ଷରେ ବିଭିନ୍ନ ରଣନୀତି ଆପଣାଇବାକୁ ପଡିଥାଏ । ତେବେ ଇଂଲଣ୍ଡ ବିପକ୍ଷରେ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଥିଲା । ଯାହା ଭାରତକୁ ୧୦ ୱିକେଟରେ ପରାଜୟ ମୁହଁ ଦେଖିବାକୁ ପଡିଥିଲା । ଭାରତ ସେମିଫାଇନାଲରୁ ବିଦା ହୋଇଛି ଯେଉଁ କାରଣରୁ ବିଭିନ୍ନ ଆଡୁ ବିଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି । ଯଦି ଆପଣ ଗଭୀର ଭାବରେ ବିଚାର କରିବେ ତାହେଲେ ଟିମ୍ ଇଣ୍ଡିଆକୁ ଗାଙ୍ଗୁଲି ଏବଂ ଧୋନୀଙ୍କ ପରେ ଏକ ଦୃଢ ନେତୃତ୍ବ ଦରକାର ରହିଛି । ଏମିତି ଅଧିନାୟକ ଦରକାର ଯିଏ ଦଳକୁ ତୃଣମୂଳ ସ୍ତରରୁ ସୁଧାରିବା ସହିତ ଫ୍ରଣ୍ଟ ଲାଇନରେ ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେଇପାରିବ ବୋଲି କହିଛନ୍ତି ଆଫ୍ରିଦି ।