ହାଇଦ୍ରାବାଦ:କ୍ରିକେଟରେ ସଚିନଙ୍କ ନାମ ହିଁ ଯଥେଷ୍ଟ । କ୍ରିକେଟରେ ସଚିନଙ୍କ ସାନଦାର ପ୍ରଦର୍ଶନ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ଘର କରିଛନ୍ତି । ଭାରତୀୟ କ୍ରିକେଟର ନିର୍ବିବାଦୀୟ ରାଜା ଯଦି କେହି ହୁଅନ୍ତି, ତେବେ ସେ ହେଉଛନ୍ତି ସଚିନ ତେନ୍ଦୁଲକର । ବିଶ୍ବ କ୍ରିକେଟରେ ରହିଛନ୍ତି ଦୁଇ ପ୍ରକାରର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ବନାମ ଅନ୍ୟମାନେ । ସଚିନ କେବଳ ଜଣେ କ୍ରିକେଟର ନୁହଁନ୍ତି ବରଂ ଅଗଣିତ କ୍ରିକେଟପ୍ରେମୀଙ୍କ ଆବେଗ । ଅନେକ କ୍ରିକେଟ ଖେଳିବା ପରେ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ପରିଚିତ ହୋଇଛନ୍ତି, ମାତ୍ର ସଚିନ, କ୍ରିକେଟକୁ ସର୍ବତ୍ର ପହଞ୍ଚାଇଛନ୍ତି । ଆଜି ମାଷ୍ଟର ବ୍ଲାଷ୍ଟର ତଥା ସମସ୍ତଙ୍କ ଲିଟିଲ ମାଷ୍ଟର 49 ବର୍ଷରେ ପଦାର୍ପଣ କରିଛନ୍ତି ।
୧୯୭୩ ମସିହା ଆଜିର ଦିନରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସଚିନ । ମୁମ୍ବାଇ ସହରରେ ଜନ୍ମ ନେଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର 1989 ମସିଆରେ ମାତ୍ର 16 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । 24 ବର୍ଷର ଲମ୍ବା କ୍ରିକେଟ କ୍ୟାରିଅରରେ ସେ 6 ଟି ବିଶ୍ବକପ ଖେଳିବାକୁ ସକ୍ଷମ ହୋଇ ପାରିଥିଲେ ।
କ୍ରିକେଟ କ୍ୟାରିଅର...
- 24 ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ସେ 200ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ 463ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟ କ୍ୟାରିଅରରେ ସେ 15 ହଜାର 921 ରନ କରିଥିବା ବେଳେ ଦିନିକିଆ କ୍ରିକେଟରେ ବିଶ୍ବରେ ସର୍ବାଧିକ 18 ହଜାର 426 ରନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଏକ ମାତ୍ର ବ୍ୟାଟସମ୍ୟାନ ଭାବରେ ସେ 100ଟି ଶତକ ହାସଲ କରିଛନ୍ତି । 164ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ସେ । 6 ଟି ଦ୍ବିଶତକ ହାସଲ କରିଛନ୍ତି ସେ । ତାଙ୍କର ବେଷ୍ଟ ସ୍କୋର ରହିଛି 248 ନଟଆଉଟ । 2012 ମସିହାରେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ବିପକ୍ଷରେ ସେ 100ତମ ଶତକ ହାସଲ କରିଥିଲେ ।
- ଖାଲି ସେତିକି ନୁହେଁ ବିଶ୍ବର ପ୍ରଥମ ବ୍ୟାଟସମ୍ୟାନ ଭାବରେ ସେ ଦିନିକିଆ କ୍ରିକେଟରେ ଦ୍ବିଶତକ ହାସଲ କରିବାକୁ ସକ୍ଷମ ହୋଇଥିଲେ । 2010 ମସିହା ଫେବ୍ରୁଆରୀ 24 ତାରିଖରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଏହି କିର୍ତ୍ତୀମାନ ନିଜ ନାମରେ କରାଇଥିଲେ । ମଧ୍ୟପ୍ରଦେଶର ଗ୍ବାଲିୟର କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଇଥିଲା ।
- 1996 ବିଶ୍ବକପ ଓ 2011 ବିଶ୍ବକପରେ ସେ ଦମଦାର ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିଲେ । 2013 ମସିହା ନଭେମ୍ବର ମାସରେ ୱେଷ୍ଟିଇଣ୍ଡିଜ ବିପକ୍ଷରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।