ଡର୍ବନ: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଦମଦାର ବିଜୟ ପରେ ଦକ୍ଷିଣ ଆଫ୍ରିକାରେ ଝାଳବୁହା ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ । ଡିସେମ୍ବର ୧୦ (ରବିବାର) ଖେଳାଯିବ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ । ହେଲେ ଶୃଙ୍ଖଳା ଆରମ୍ଭ ନହେଉଣୁ ଘରୋଇ ଦଳକୁ ଲାଗିଛି ଏକ ବଡ଼ ଝଟ୍କା । ଦଳର ଷ୍ଟାର ଦ୍ରୁତ ବୋଲର ଲୁଙ୍ଗି ଏନ୍ଗିଡି ଆହତଜନିତ ସମସ୍ୟା ଲାଗି ସମ୍ପୂର୍ଣ୍ଣ ଟି୨୦ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ଦଳରେ ବ୍ୟୁରନ ହେଣ୍ଡ୍ରିକ୍ସ ଶାମିଲ ହୋଇଥିବା କ୍ରିକେଟ୍ ବୋର୍ଡ ସୂଚନା ଦେଇଛି ।
ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ବୋର୍ଡ ସୂଚନା ଅନୁଯାୟୀ, ୨୭ ବର୍ଷୀୟ ଷ୍ଟାର ପେସର ଏନ୍ଗିଡିଙ୍କୁ ଟି୨୦ ଶୃଙ୍ଖଳା ପାଇଁ ଟିମ୍ରୁ ବାଦ୍ ଦିଆଯାଇଛି । ଆହତ ସମସ୍ୟା ଲାଗି ଟିମ୍ରୁ ବାଦ୍ ପଡିଛନ୍ତି ଏନ୍ଗିଡି । ମେଡିକାଲ ଟିମ୍ କ୍ରମାଗତ ଭାବେ ତାଙ୍କ ଉପରେ ନଜର ରଖିଛନ୍ତି । ଏନ୍ଗିଡି ଟି୨୦ ସମେତ ଭାରତ ବିପକ୍ଷ ଟେଷ୍ଟ ପାଇଁ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳର ସଦସ୍ୟ ରହିଛନ୍ତି । ହେଲେ ଦିନିକିଆ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ । ହୁଏତ ଟେଷ୍ଟ ବେଳକୁ ସେ ସୁସ୍ଥ ହୋଇଯିବାର ସମ୍ଭାବନା ରହିଛି । ହେଲେ ଟେଷ୍ଟ ସିରିଜ୍ରେ ଲୁଙ୍ଗି ଏନ୍ଗିଡି ଖେଳିବେ କି ନାହିଁ, ସେନେଇ କୌଣସି ସୂଚନା ମିଳିନାହିଁ । କେବଳ ଟି୨୦ ସିରିଜ୍ରେ ଏନ୍ଗିଡିଙ୍କ ଆହତ ନେଇ ସବିଶେଷ ତଥ୍ୟ ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ କୁହାଯାଇଛି । ଏନ୍ଗିଡିଙ୍କ ବଦଳରେ ଦ୍ରୁତ ବୋଲର ବ୍ୟୁରନ୍ ହେଣ୍ଡ୍ରିକ୍ସଙ୍କୁ ଟିମ୍ରେ ସାମିଲ କରାଯାଇଛି । ସେ ମାର୍କୋ ଜାନସେନ୍ଙ୍କ ସହ ବୋଲିଂ ବିଭାଗର ଦାୟିତ୍ବ ନେବେ ।