ଜିକେବେରହା: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଦିନିକିଆ । ତେବେ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଘରୋଇ ଦଳର ଅଧିନାୟକ ଆଡେନ୍ ମାରକ୍ରମ । ସେପଟେ ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଥିବା ଟିମ୍ ଇଣ୍ଡିଆ ଆଜି ପ୍ରଥମେ ବ୍ୟାଟିଂ କରିବ । ଭାରତୀୟ ଦଳରେ ଆଜି ଗୋଟିଏ ପରିବର୍ତ୍ତନ ହୋଇଛି । ଟେଷ୍ଟ ଦଳରେ ଯୋଗ ଦେବାକୁ ଚାଲି ଯାଇଥିବା ଶ୍ରେୟସ ଆୟରଙ୍କ ସ୍ଥାନରେ ଆଜି ଡେବ୍ୟୁ କରୁଛନ୍ତି ରିଙ୍କୁ ସିଂହ ।
ଦିନିକିଆ ବିଶ୍ବକପ୍ ୨୦୨୩ ପରାଜୟ ପରେ ପ୍ରଥମ ଦିନିକିଆ ସିରିଜ୍ ଖେଳୁଛି ଭାରତ । ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳକୁ କେବଳ ୧୧୬ ରନ୍ରେ ଅଲ୍ଆଉଟ୍ କରିଥିଲା ଭାରତୀୟ ଯୁବ ବୋଲିଂ ଆଟାକ୍ । ଅର୍ଶଦୀପ ସିଂହ ସର୍ବାଧିକ ୫ ୱିକେଟ୍ ସଫଳତା ହାସଲ କରିଥିବା ବେଳେ ଅଭେଶ ଖାନ ୪ ୱିକେଟ୍ ଦଖଲ କରି ନିଜ ଅନ୍ତର୍ଜାତୀୟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଜବାବରେ ଶ୍ରେୟସ ଆୟର ଓ ସାଇ ସୁଦର୍ଶନଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ବଳରେ କେବଳ ୧୬.୪ ଓଭରରେ ମ୍ୟାଚ୍ ଜିତି ନେଇଥିଲା ଭାରତ । ବର୍ତ୍ତମାନ ଶୃଙ୍ଖଳାରେ ୧-୦ ଲିଡ୍ରେ ଥିବା ଭାରତ ଆଜି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିବ ।
ରିଙ୍କୁ ସିଂହଙ୍କ ଡେବ୍ୟୁ: ଭାରତ ପାଇଁ ଟି୨୦ରେ କମାଲ କରୁଥିବା ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହଙ୍କୁ ଆଜି ଦିନିକିଆ କ୍ୟାପ୍ ମିଳିଛି । ସେ ପ୍ରଥମ ଥର ପାଇଁ ଆଜି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । ତେଣୁ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ରେ ସାଇ ସୁଦର୍ଶନ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ । ପ୍ରଥମ ମ୍ୟାଚ୍ରେ ହିଁ ସେ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହିତ ଅର୍ଶଦୀପ ସିଂହଙ୍କ ୫ ୱିକେଟ୍ ସଫଳତା ଭାରତକୁ ପ୍ରଥମ ଦିନିକିଆରେ ଦମଦାର ବିଜୟ ଦେଇଥିଲା ।