ଡର୍ବାନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଆଜି(ରବିବାର)ଠାରୁ ଟି୨୦ ଅଭିଯାନ ଆରମ୍ଭ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଦମଦାର ବିଜୟ ପରେ ସୂର୍ଯ୍ୟ ବାହିନୀର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭାରତୀୟ ପ୍ରଶଂସକ । ହେଲେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ବାଧକ ସାଜିଛି ବର୍ଷା । ଯେଉଁ କାରଣରୁ ଏବେ ଟସ୍ ମଧ୍ୟ ପଡ଼ିବାରେ ବିଳମ୍ବ ହୋଇଛି ।
ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ବିଜୟ ପରେ ଦମଦାର ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କର ଆଜିର ମ୍ୟାଚ୍କୁ ନେଇ ମନୋବଳ ଦୃଢ ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିଶ୍ବକପରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା । ସେହି ସବୁ ଦୁଃଖକୁ ଭୁଲି ଆଜି ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଜୋରଦାର ପ୍ରସ୍ତୁତ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି । ହେଲେ ଏହି ସବୁ ମଧ୍ୟରେ ବାଧକ ସାଜିଛି ବର୍ଷା । ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଟସ୍ ପଡ଼ି ୭:୩୦ରେ ମ୍ୟାଚ୍ ଆରମ୍ଭ ହେବା ନେଇ ସୂଚୀ ରହିଥିଲା । ହେଲେ ଏବେ ସବୁ ପୂର୍ବ ସୂଚୀ ବିଗାଡ଼ି ଦେଇଛି ଡର୍ବନ କିଙ୍ଗ୍ସ୍ମେଡ୍ ବର୍ଷା । ତେବେ ଯଦି ଭାରତୀୟ ସମୟ ୮:୧୦ ମଧ୍ୟରେ ଖେଳ ଆରମ୍ଭ ହୋଇନପାରେ, ତେବେ ନିର୍ଦ୍ଧାରିତ ୨୦ ଓଭରକୁ କମ କରାଯିବ ବୋଲି କ୍ରିକ୍ବଜ୍ରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20 ମ୍ୟାଚ