ଜୋହାନ୍ସବର୍ଗ:ଭାରତୀୟବୋଲରଙ୍କ ଘାତକ ଆକ୍ରମଣ ପରେ ଚମକିଲେ ଭାରତୀୟ ବ୍ୟାଟର । ପ୍ରଥମ ଦିନିକିଆ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍ରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଯୁବ ତାରକା ବ୍ୟାଟର ସାଇ ସୁଦର୍ଶନ ନିଜ ଡେବ୍ୟୁ ମ୍ୟାଚ୍ରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୫୫ ରନର ଅପରାଜିତ ପାଳି ଖେଳିଥିବାବେଳେ ଶ୍ରେୟସ ଆୟର ୫୨ ରନର ଧୂଆଁଧାର ପାଳି ଖେଳି ଭାରତକୁ ଶୃଙ୍ଖଳାରେ ୧-୦ ଆଗୁଆ କରାଇଛନ୍ତି । ସେପଟେ ମେଡେନ୍ ଅନ୍ତର୍ଜାତୀୟ ୫ ୱିକେଟ୍ ସଫଳତା ହାସଲ କରିଥିବା ଅର୍ଶଦୀପ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜୋହାନ୍ସବର୍ଗରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିଥିଲା ଘରୋଇ ଦକ୍ଷିଣ ଆଫ୍ରିକା । ହେଲେ ଖାତା ଖୋଲିବା ପୂର୍ବରୁ ଓପନର ରିଜା ହେଣ୍ଡ୍ରିକ୍ସଙ୍କୁ ପାଭିଲିୟନ ଫେରାଇଥିଲେ ଭାରତୀୟ ବାମହାତୀ ପେସର ଅର୍ଶଦୀପ ସିଂହ । ଏହାର ପରବର୍ତ୍ତୀ ବଲରେ ହିଁ ଆଉଟ୍ ହୋଇଥିଲେ ରସି ଭାନ୍ଡେର ଡସେନ୍ । ସେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ । ଅନ୍ୟତମ ଓପନର ଟନି ଡିଜୋର୍ଜି ୨୮ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଆଉଟ୍ ହୋଇଥିଲେ । ଅଧିନାୟକ ମାରକ୍ରମ କେବଳ ୧୨ ରନ କରିପାରିଥିଲେ । ତେବେ ବହୁ ସଙ୍ଘର୍ଷ କରି ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ରନ୍ କରିଥିଲେ ଏଣ୍ଡାଇଲ୍ ଫେଲୁକ୍ବାୟୋ । ସେ ୪୯ ବଲରୁ ୨ ଛକା ଓ ୩ ଚୌକା ବଳରେ ୩୩ ରନର ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ପାଳି ଖେଳିବାରେ ସକ୍ଷମ ହୋଇନଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ୨୭.୩ ଓଭରରେ କେବଳ ୧୧୬ ରନ୍ ପାଇଁ ସମସ୍ତ ୱିକେଟ୍ ହରାଇଥିଲା ।
ଭାରତ ବୋଲିଂ: ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଶୈଳୀରେ ବୋଲିଂ କରିଥିଲେ ଭାରତୀୟ ଯୁବ ବୋଲିଂ ବିଭାଗ । ଅର୍ଶଦୀପ ସିଂହ ଓ ଅଭେଶ ଖାନ୍ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଚାଲିଥିଲେ । ଅନ୍ୟପଟେ ମୁକେଶ କୁମାର ଘରୋଇ ବ୍ୟାଟରଙ୍କ ହାତ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ତେବେ ଅର୍ଶଦୀପ ଦମଦାର ପ୍ରଦର୍ଶନ କରି ପ୍ରଥମ ଅନ୍ତର୍ଜାତୀୟ ୫ ୱିକେଟ୍ ସଫଳତା ହାସଲ କରିବାରେ ସକ୍ଷମ ହୋଇଥିଲେ । ସେ ୧୦ ଓଭର ବୋଲିଂ କରି ୩୭ ରନ ଖର୍ଚ୍ଚ କରି ୫ ୱିକେଟ୍ ଅକ୍ତିଆର କରିଛନ୍ତି । ଅନ୍ୟପଟେ ଅଭେଶ ଖାନ୍ ୮ ଓଭରରେ ୨୭ ରନ ବ୍ୟୟରେ ୪ଟି ୱିକେଟ୍ ନେଇଥିଲେ । ଶେଷ ୱିକେଟ୍ ଅକ୍ତିଆର କରି ଦକ୍ଷିଣ ଆଫ୍ରିକା ଇନିଂସ୍ ଶେଷ କରିଥିଲେ କୁଲଦୀପ ଯାଦବ ।