ହାମିଲଟନ୍: ନ୍ୟୁଜିଲାଣ୍ଡ ପାଇଁ ନିଜର ଶେଷ ଇଂନିସ ଖେଳିସାରିଛନ୍ତି ରସ୍ ଟେଲର । ସୋମବାର ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପାଇଁ ୧୪ ରନ୍ର ଇଂନିସ ଖେଳିଛନ୍ତି ଟେଲର । ଏହାପରେ ସମସ୍ତ ଦର୍ଶକ ଓ ଖେଳାଳି ଟେଲରଙ୍କୁ ଛିଡାହୋଇ ଶେଷ ଥର ପାଇଁ କ୍ରିକେଟ ପଡିଆରୁ ବିଦାୟ ଦେଇଥିଲେ । ଏହି ମ୍ୟାଚ୍ ଟେଲରଙ୍କ ୪୫୦ତମ ମ୍ୟାଚ୍ ଓ ନ୍ୟୁଜିଲାଣ୍ଡ ପାଇଁ ଶେଷ ମ୍ୟାଚ୍ ଥିଲା । ଏଥିସହ ଟେଲଟରଙ୍କ ଦୀର୍ଘ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି । ୩୮ ବର୍ଷୀୟ ବ୍ୟାଟ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ । ତେବେ ନିଜ ଘରୋଇ ଗ୍ରାଉଣ୍ଡ ସେଡନ ପାର୍କରେ ଶେଷ ମ୍ୟାଚ୍ ଖେଳି ବିଦାୟ ନେବାକୁ ନିଷ୍ପତ୍ତି ନେଇଥିଲେ । ଜାତୀୟ ସଙ୍ଗୀନ ଗାନବେଳେ ଟେଲରଙ୍କ ସହିତ ତାଙ୍କର ପୁଅଝିଅ ମେକେଞ୍ଜି, ଜଣ୍ଟି ଓ ଆଡିଲେଡ୍ ଛିଡାହୋଇଥିଲେ ଓ ପରେ ନେଦରଲାଣ୍ଡ ଖେଳାଳି ତାଙ୍କୁ ଗାର୍ଡ ଅଫ୍ ଅନର୍ ଜଣାଇଥିଲେ ।
ଟେଲର ନ୍ୟୁଜିଲାଣ୍ଡ ପାଇଁ ନିଜର ପ୍ରଥମ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ ବର୍ଷ ୨୦୦୬ରେ ଖେଳିଥିଲେ ଓ ସମାନ ବର୍ଷ ପ୍ରଥମ ଟେଷ୍ଟ ମଧ୍ୟ ଖେଳିଥିଲେ । ପରେ ସେ ୧୧୨ଟି ଟେଷ୍ଟ ମ୍ୟାଚ୍ରେ ନିଜ ଦେଶକୁ ପ୍ରତିନିଧିତ୍ବ କରିଥିବାବେଳେ, ୧୯ଟି ଶତକ ସହାୟତାରେ ୭,୬୮୩ ରନ୍ ସଂଗ୍ରହ କରିଛନ୍ତି । ଏଥିସହ ୨୩୬ ODI ମ୍ୟାଚ୍ ଖେଳି ୮,୫୯୩ ରନ୍ ନିଜ ନାମରେ କରିଛନ୍ତି । ୧୦୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ଓ ୧,୯୦୯ ରନ୍ ସଂଗ୍ରହ କରିଛନ୍ତି ।