ମୀରପୁର : ମ୍ୟାଚ ହାରିବାର କାରଣ କହିଲେ ଅଧିନାୟକ ରୋହିତ ଶର୍ମା । ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ 1 ୱିକେଟରେ ପରାସ୍ତ ହୋଇଛି ମେନ୍ ଇନ୍ ବ୍ଲୁ । ତେବେ ପରାଜୟକୁ ସ୍ବୀକାର କରି ଅଧିନାୟକ ରୋହିତ ଶର୍ମା କହିଛନ୍ତି ଦଳର ବୋଲିଂ ବିଫଳତା ପାଇଁ ଆଜି ମ୍ୟାଚର ଏପରି ଫଳାଫଳ ରହିଲା । ମ୍ୟାଚ ପରେ ପ୍ରେଜେଣ୍ଟେସନ ସେରିମନୀରେ ରୋହିତ ଶର୍ମା କୌଣସି ବାହାନା ନ ଦେଖାଇ ସିଧା ସିଧା କହିଥିଲେ ବାଂଲାଦେଶ ସ୍ପିନର ଓ ନିଜ ଦଳର ବୋଲିଂ ବିଫଳତା କାରଣରୁ ଆଜି (ରବିବାର) ଖେଳାଯାଇଥିବା ମ୍ୟାଚରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି ।
ମ୍ୟାଚ ବାବଦରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, " ପିଚ୍ ଅଳ୍ପ ବହୁତ ଆହ୍ବାନପୂର୍ଣ୍ଣ ରହିଥିଲା । ବଲ ଅପେକ୍ଷାକୃତ ଅଧିକ ଟର୍ଣ୍ଣ ହେଉଥିଲା । ଦେଖିବାକୁ ପଡୁଥିଲା କି କେମିତି ଖେଳାଯିବ । ଏନେଇ କୌଣସି ବାହାନା କରିବା ଦରକାର ନାହିଁ । ଆମ ଦଳ ଅପେକ୍ଷା ବିପକ୍ଷ ଦଳର ସ୍ପିନର ଆଜି ଆଧିପତ୍ୟ ବିସ୍ତାର କରିଥିଲେ । ଆମେ ଆଜି ବୋଲିଂରେ ବିଫଳ ରହିଥିଲୁ । ଆମକୁ ଏହା ଦେଖିବାକୁ ପଡିବ ଯେ ଏଭଳି ପରିସ୍ଥିତିରେ ବିପକ୍ଷ ଦଳର ସ୍ପିନର ବୋଲିଂରେ କିଭଳି ବ୍ୟାଟିଂ କରାଯାଇ ପାରିବ । କିନ୍ତୁ ଆଜି ଆମେ ଭଲ ବ୍ୟାଟିଂ ମଧ୍ୟ କରିନଥିଲୁ । କିନ୍ତୁ ଭାରତୀୟ ବୋଲର ଶେଷ ପର୍ଯ୍ୟନ୍ତ ବିପକ୍ଷ ଦଳ ଉପରେ ଚାପ ପକାଇଥିଲେ । ହେଲେ ବାଂଲାଦେଶ ସପକ୍ଷରେ ମ୍ୟାଚର ଫଳାଫଳ ରହିଥିଲା । "