ହାଇଦ୍ରାବାଦ:ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ଅଧିନାୟକ ରୋହିତ ଶର୍ମା । ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୨ ତାରିଖରେ ଖେଳାଯିବ । ଲୋକେଶ ରାହୁଲ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବି ଅଧିନାୟକ ଦାୟିତ୍ବ ତୁଲାଇବେ । ରୋହିତ ଶର୍ମା ପ୍ରଥମ ଟେଷ୍ଟ ମ୍ୟାଚରୁ ଆହତ କାରଣରୁ ବାଦ ପଡିଥିଲେ । ସେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବେ କି ନାହିଁ ସେ ନେଇ ସନ୍ଦେହ ରହିଥିଲା । ଯାହା ଆଜି(ସୋମବାର) ସୂଚନା ମିଳିଛି ସେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ମଧ୍ୟ ବାଦ ପଡିଛନ୍ତି । ଦୁଇ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଡିସେମ୍ବର ୭ ତାରିଖରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆରେ ଆହତ ହୋଇଥିଲେ । କ୍ୟାଚ୍ ଧରିବାକୁ ଯିବା ସମୟରେ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା । ଏଥିପାଇଁ ସେ ପ୍ରଥମ ଟେଷ୍ଟ ମ୍ୟାଚରୁ ଦଳରୁ ବାଦ ପଡିଥିଲେ । ରୋହିତ ଶର୍ମାଙ୍କ ସ୍ଥାନରେ ବୋର୍ଡ ଚୟନ କମିଟି ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଅଭିମନ୍ୟୁ ଇଶ୍ବରନଙ୍କୁ ଦଳରେ ସାମିଲ କରିଥିଲା । କେବଳ ରୋହିତ ଶର୍ମା ନୁହଁନ୍ତି ଏହି ସିରିଜରୁ ଆଉ ଦୁଇ ଖେଳାଳି ମଧ୍ୟ ବାଦ ପଡିଛନ୍ତି । ଫାଷ୍ଟ ବୋଲର ମହମ୍ମଦ ସାମି ଏବଂ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡା ମଧ୍ୟ ଏହି ସିରିଜରୁ ବାଦ ପଡିଛନ୍ତି । ଉଭୟ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ ପଡିଥିବା ନେଇ ବିସିସିଆଇ ସୂଚନା ଦେଇଛି । ଉଭୟ ସମ୍ପୂର୍ଣ୍ଣ ଭାବରେ ଫିଟ୍ ହୋଇନାହାଁନ୍ତି । ବୋର୍ଡ ଚୟନ କମିଟି ସାମିଙ୍କ ବଦଳରେ ପୂର୍ବରୁ ଫାଷ୍ଟ ବୋଲର ଜୟଦେବ ଉନଦକଟ୍ଙ୍କୁ ଦଳରେ ସାମିଲ କରିଥିଲା ।