ବିଶାଖାପାଟଣା: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତୀୟ କ୍ରିକେଟରଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କଙ୍ଗାରୁ ଦଳର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ ସମସ୍ତ ଭାରତୀୟ ବ୍ୟାଟର । ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ ବୋଲରଙ୍କର ମଧ୍ୟ ସେଭଳି ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଫଳରେ ଦ୍ବିତୀୟ ଦିନିକିଆକୁ ୧୦ ୱିକେଟରେ ଜିତି ନେଇଛି କଙ୍ଗାରୁ ଦଳ । ତେବେ ଭାରତୀୟ ବ୍ୟାଟର ମିଚେଲ ଷ୍ଟାର୍କଙ୍କ ଆଗରେ ନିଜର ଅନୁଭବ ଦେଖାଇବା ବଦଳରେ ଆତ୍ମସମର୍ପଣ କରଦେଇଥିବା ସ୍ବୀକାର କରିଛନ୍ତି ନିଜେ ଭାରତୀୟ ଅଧିନାୟକ ରୋହିତ ଶର୍ମା ।
ପ୍ରଥମ ମୁକାବିଲାରେ ମଧ୍ୟ ଭାରତର ଟପ ଅର୍ଡର ବ୍ୟାଟର ସ୍କୋର କରିବାରେ ଫେଲ ମାରିଥିଲେ । କିନ୍ତୁ ଖରାପ ଫର୍ମ ଦେଇ ଗତି କରୁଥିବା ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଭାଗିଦାରୀ ବଳରେ ଭାରତ ମ୍ୟାଚ୍ ଜିତି ନେଇଥିଲା । କିନ୍ତୁ ଦ୍ବିତୀୟ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ବଲକୁ କୌଣସି ଭାରତୀୟ ବ୍ୟାଟର କିମ୍ବା ଅଲରାଉଣ୍ଡର ସାମ୍ନା କରିପାରି ନଥିଲେ । ଆଜିର ମ୍ୟାଚ୍ରେ ୮ ୱିକେଟ ବୋଲିଂ କରି ୫୩ ରନ ବ୍ୟୟରେ ୫ ୱିକେଟ ସଫଳତା ହାସଲ କରିଥିଲେ ଷ୍ଟାର୍କ । ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୯ ପାଳି ଖେଳି ନବମ ଥର ପାଇଁ ୫ ୱିକେଟ ସଫଳତା ହାସଲ କରିଥିଲେ ସେ । ତେବେ ରବିବାର ବିଶାଖାପାଟଣାରେ ଖେଳାଯାଇଥିବା ମ୍ୟାଚ୍ରେ ପିଚ୍ ନିଶ୍ଚିତ ଭାବେ ବ୍ୟାଟରଙ୍କୁ ସୁହାଇବା ଭଳି ପିଚ୍ ଥିଲା । କିନ୍ତୁ ଭାରତୀୟ ବ୍ୟାଟର ଭଲ ଖେଳିପାରିନଥିବା ସ୍ବୀକାର କରିଛନ୍ତି ନିଜେ ଅଧିନାୟକ ରୋହିତ ଶର୍ମା ।