ହାଇଦ୍ରାବାଦ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଗୁଜୁରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାରି ରହିଥିବା ଶେଷ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ କେବଳ ୩୫ ରନ କରି ଆଉଟ ହୋଇଥିବା ରୋହିତ ଶର୍ମା ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୭ ହଜାର ରନ ପୂରଣ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।
ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ଭାରତର ବ୍ୟାଟର ମାନଙ୍କର ଭଲ ପ୍ରଦର୍ଶନ ଜାରି ରହିଛି । ଦ୍ବିତୀୟ ଦିନରେ କଙ୍ଗାରୁ ଦଳ ୪୮୦ ରନରେ ଅଲ ଆଉଟ ହେବାପରେ ମୈଦାନକୁ ଓହ୍ଲାଇଥିଲା ରୋହିତ ବାହିନୀ । ଗତକାଲି ବିନା କୌଣସି କ୍ଷତିରେ ଭାରତ ୩୬ ରନ ସଂଗ୍ରହ କରିଥିଲା । ଆଜି ମଧ୍ୟ ପ୍ରଥମରୁ ଉଭୟ ରୋହିତ ଓ ଶୁଭମନ ଗିଲ ଭଲ ପ୍ରଦର୍ଶନ ଜାରି ରଖିଥିଲେ । ଉଭୟ ଭାରତକୁ ୩୬ ରନରୁ ନେଇ ୭୪ ରନରେ ପହଞ୍ଚାଇଥିଲେ । ଅଧିନାୟକ ରୋହିତ ଶର୍ମା ୫୮ ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହିତ ୩୫ ରନ ସଂଗ୍ରହ କରିଥିଲେ । ଏହାପରେ କଙ୍ଗାରୁ ବୋଲର ମାଥ୍ୟୁ କୁହନେମନଙ୍କ ବଲର ଶିକାର ହୋଇଥିଲେ ଭାରତୀୟ ଅଧିନାୟକ ।
ତେବେ ଏହି ମ୍ୟାଚ୍ରେ ୨୧ ରନ ସଂଗ୍ରହ କରି ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୭ ହଜାର ରନ ପୂରଣ କରିଛନ୍ତି । ଏହି ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ରୋହିତ ସପ୍ତମ ଭାରତୀୟ କ୍ରିକେଟର ହୋଇଛନ୍ତି । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ରନ ମେସିନ ବିରାଟ କୋହଲିଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହୱାଗ ଓ ମହେନ୍ଦ୍ର ସିଂହ ଧୋନୀ ୧୭ ହଜାର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଏବେ ଏହି ତାଲିକାରେ ଅଧିନାୟକ ରୋହିତ ଶର୍ମାଙ୍କ ନାମ ଯୋଡ଼ି ହୋଇଛି । ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୩୪୩୫୭ ରନ ସଂଗ୍ରହ କରିବାର ରେକର୍ଡ ରହିଛି ।