ଓଡିଶା

odisha

By ETV Bharat Odisha Team

Published : Sep 12, 2023, 10:43 PM IST

ETV Bharat / sports

Asia Cup 2023: ୧୦ ହଜାର ରନ କ୍ଲବରେ ରୋହିତ, କୋହଲିଙ୍କ ପରେ ଦ୍ରୁତତମ ବ୍ୟାଟର

ଏସିଆ କପ୍ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସ୍ପେଶାଲ ରେକର୍ଡ । ଦିନିକିଆ ଅନ୍ତର୍ଜାତୀୟରେ ପୂରଣ କଲେ ୧୦ ହଜାର ରନ । ଅଧିକ ପଢ଼ନ୍ତୁ

୧୦ କ୍ଲବରେ ରୋହିତ ଶର୍ମା
୧୦ କ୍ଲବରେ ରୋହିତ ଶର୍ମା

କଲମ୍ବୋ: ଜାରି ରହିଥିବା ଏସିଆ କପ୍ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଶ୍ରୀଲଙ୍କା ବିପକ୍ଷରେ ୪୮ ବଲରୁ ୫୩ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିବା ରୋହିତ ଦିନିକିଆ କ୍ରିକେଟ୍‌ରେ ୧୦ ହଜାର ରନ ପୂରଣ କରିଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ରୋହିତ ହେଉଛନ୍ତି ଷଷ୍ଠ ଭାରତୀୟ ବ୍ୟାଟର । ପୂର୍ବରୁ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଏହି ସଫଳତା ହାସଲ କରି ସାରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବା ପୂର୍ବରୁ ତାଙ୍କୁ ୧୦ ହଜାର ରନ ପୂରଣ ପାଇଁ ମାତ୍ର ୨୨ ରନର ଆବଶ୍ୟକତା ରହିଥିଲା । ଏହି ମାଇଲଖୁଣ୍ଟକୁ ମାତ୍ର ୨୪୧ ଇନିଂସରେ ଛୁଇଁଛନ୍ତି ହିଟ୍‌ମ୍ୟାନ୍‌ । ଆଜିର ପାଳି ସରିବା ବେଳକୁ ସେ ୨୪୧ ଇନିଂସରୁ ୪୮.୯୩ ହାରରେ ୯୦.୨୮ ଷ୍ଟ୍ରାଇକ୍ ରେଟ୍‌ରେ ୧୦ ହଜାର ୩୧ ରନ୍‌ କରିଛନ୍ତି । ଏଥିରେ ୩୦ ଶତକ ଓ ୫୦ ଅର୍ଦ୍ଧଶତକ ସାମିଲ୍ ରହିଛି । ଉଲ୍ଲେଖଯୋଗ୍ୟ, ଏସିଆ କପ୍‌ ୨୦୨୩ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷ ଦ୍ଵିତୀୟ ମୁକାବିଲାରେ ରୋହିତ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ସେ ଦିନିକିଆରେ ୫୦ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ଆଜି ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି ହିଟ୍‌ମ୍ୟାନ୍‌ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ପାକିସ୍ତାନ ବିପକ୍ଷରେ ଭାରତୀୟ ଓପନରଙ୍କ ସ୍ପେଶାଲ ଫିପ୍ଟି

କୋହଲିଙ୍କ ପରେ ଦ୍ରୁତତମ ୧୦ ହଜାର: ଟିମ୍‌ ଇଣ୍ଡିଆ ସେନାପତି ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟରେ ୧୦ ହଜାର ରନ ପୂରଣ କରିବାରେ ଦ୍ଵିତୀୟ ଦ୍ରୁତତମ ବ୍ୟାଟର ହୋଇଛନ୍ତି । ୧୦ ହଜାର ରନ ପୂରଣ କରିବାରେ ଦ୍ରୁତତମ ବ୍ୟାଟର ତାଲିକାର ଶୀର୍ଷରେ ଅଛନ୍ତି ବିରାଟ କୋହଲି । କୋହଲି କେବଳ ୨୦୫ ଇନିଂସରେ ୧୦ ହଜାର ରନ୍‌ ପୂରଣ କରିଥିଲେ । ରୋହିତଙ୍କୁ ଏହି ମାଇଲଖୁଣ୍ଟ ଛୁଇଁବାକୁ ୨୪୧ ଇନିଂସ ଖେଳିବାକୁ ପଡ଼ିଥିଲା । ଏହି ତାଲିକାର ତୃତୀୟରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ୨୫୯ ଇନିଂସରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details