ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚ୍ ଭାରତ ହାରିଛି ସତ, ହେଲେ ସମସ୍ତଙ୍କ ହୃଦୟ ଜିତିଛନ୍ତି ଯୁବ ଷ୍ଟାର ବ୍ୟାଟର ରିଙ୍କୁ ସିଂହ । ପ୍ରତି ମ୍ୟାଚ୍ରେ ଭାରତ ପାଇଁ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍କୁ ଶେଷ କରୁଥିବା ଏହି ଧୂଆଁଧାର ବ୍ୟାଟର ଦ୍ବିତୀୟ ଟି୨୦ ମ୍ୟାଚ୍ରେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସବୁଠାରୁ ମଜା କଥା ହେଉଛି ରିଙ୍କୁ ସିଂହଙ୍କ ଏକ ଛକାରେ ଷ୍ଟାଡିୟମ୍ର ପ୍ରେସ୍ ଗ୍ୟାଲେରୀ କାଚ ଭାଙ୍ଗିଯାଇଥିଲା । ଆଉ ତା ଠାରୁ ଆହୁରି ମଜାଳିଆ ଢଙ୍ଗରେ ସେଥିପାଇଁ କ୍ଷମା ମାଗିଛନ୍ତି ରିଙ୍କୁ । ନିଜ ପାଳି ବିଷୟରେ ଏକ ଇଣ୍ଟର୍ଭ୍ୟୁ ଦେବା ସମୟରେ ଏଭଳି କ୍ଷମା ମାଗିଛନ୍ତି ରିଙ୍କୁ ସିଂହ । ଏହି ଭିଡିଓ ଏକ୍ସରେ ପୋଷ୍ଟ କରିଛି ବିସିସିଆଇ । ପ୍ରଶଂସକମାନେ ମଧ୍ୟ ରିଙ୍କୁଙ୍କ ଏହି ମଜାଳିଆ କ୍ଷମା ପ୍ରାର୍ଥନାକୁ ବେଶ ପସନ୍ଦ କରୁଛନ୍ତି ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ପରେ ଦ୍ବିତୀୟ ମ୍ୟାଚ୍ରେ ମଧ୍ୟ ଭିଲେନ୍ ସାଜିଥିଲା ବର୍ଷା । ଦକ୍ଷିଣ ଆଫ୍ରିକାର ଜିକେବେରହାସ୍ଥିତ ସେଣ୍ଟ୍ ଜର୍ଜ୍ ପାର୍କଠାରେ ଖେଳାଯାଇଥିବା ୨ୟ ଟି୨୦ ମ୍ୟାଚ୍ ବର୍ଷା କାରଣରୁ ଅଧାରେ ଅଟକିଥିଲା । ପରେ ଯଦିଓ ଭାରତ ଏହି ମ୍ୟାଚ୍ ହାରିଥିଲା, ହେଲେ ସମସ୍ତଙ୍କ ହୃଦୟ ଜିତିଥିଲେ ଭାରତୀୟ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ । ଅଧିକାଂଶ ଭାରତୀୟ ବ୍ୟାଟର ଏଠାରେ ପ୍ରଥମ ଇନିଂସ୍ରେ ସଙ୍ଘର୍ଷ କରିଥିବାବେଳେ ରିଙ୍କୁ କିନ୍ତୁ ପ୍ରତି ମ୍ୟାଚ୍ ଭଳି ନିଜର ବିସ୍ଫୋରକ ଅନ୍ଦାଜରେ ଖେଳିଥିଲେ । ମ୍ୟାଚ୍ର ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡନ ମାର୍କ୍ରମ । ଏହି ଓଭରର ଶେଷ ଦୁଇଟି ବଲ୍ରେ ଦୁଇଟି ବିଶାଳ ଛକା ମାରିଥିଲେ ରିଙ୍କୁ ସିଂହ । ଗୋଟିଏ ଛକା ଲେଗ୍ ସାଇଟରେ ବାଉଣ୍ଡରୀ ପାର୍ ହୋଇଥିବାବେଳେ ଆଉ ଗୋଟିଏ ଛକା ସିଧା ବୋଲର ମୁଣ୍ଡ ଉପରେ ଯାଇଥିଲା । ଏହି ସଟ୍ରେ ବଲଟି ଯାଇ ଷ୍ଟାଡିୟମରେ ଥିବା ମିଡିଆ ବକ୍ସରେ ବାଜିଥିଲା । ଏହା ସହିତ ମିଡିଆ ବକ୍ସ ଆଗରେ ଥିବା କାଚ ମଧ୍ୟ ଭାଙ୍ଗି ଯାଇଥିଲା । ଏହାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଛି ।