ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଦାମୀ ଘରୋଇ କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ ପାଇଁ ୧୦ଟି ଟିମ୍ ଖେଳୁଛନ୍ତି । ହେଲେ ଥରୁଟିଏ ମଧ୍ୟ ଏହି ଟାଇଟଲ୍ ଜିତି ନଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ସାରା ବିଶ୍ବରେ ଯେଉଁ କେତେକ ଫ୍ରାଞ୍ଚାଇଜିର ବେଶ ଲୋକପ୍ରିୟ ରହିଛି, ସେଗୁଡ଼ିକ ମଧ୍ୟରୁ ଆର୍ସିବି ଅନ୍ୟତମ । ତେବେ ଏହି ଲୋକପ୍ରିୟ ଘରୋଇ ଫ୍ରାଞ୍ଚାଇଜି ଆଇପିଏଲ୍ର ପରବର୍ତ୍ତୀ ସିଜନ୍ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଏହାର କୋଚିଂ ଏବଂ ମ୍ୟାନେଜିଂ ଷ୍ଟାଫରେ ଏକ ବଡ ପରିବର୍ତ୍ତନ ହୋଇଛି । ବାରମ୍ବାର ବିଫଳତା ପରେ ଆସନ୍ତା ସଂସ୍କରଣରେ ଏକ ନୂଆ ରଣନୀତିରେ ମୈଦାନକୁ ଓହ୍ଲାଇବ ଆର୍ସିବି ।
କ୍ରମାଗତ ଭାବେ ୧୬ଟି ସଂସ୍କରଣରେ ବିଫଳ ହେବା ପରେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗାମୀ ଆଇପିଏଲରେ ଟାଇଟଲ ହାସଲ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ଜିମ୍ବାୱେର ଆଣ୍ଡି ଫ୍ଲାୱାରଙ୍କୁ ଦଳର ନୂତନ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ କରିଛି ଆର୍ସିବି । ପୂର୍ବରୁ ସଞ୍ଜୟ ବାଙ୍ଗରଙ୍କୁ ଟିମ କୋଚ୍ ପଦରୁ ବରଖାସ୍ତ କରି ସାରିଛି । ଏହାପରେ ଟିମ ମ୍ୟାନେଜମେଣ୍ଟ ହେଡ୍ ଭାବେ ରହିଥିବା ମାଇକ ହେସନଙ୍କୁ ମଧ୍ୟ ବିଦାୟ ଦେଇଛି ଆର୍ସିବି । ଏବେ ନୂଆ କୋଚ୍ ଭାବେ ଦଳକୁ ଆସିଥିବା ଆଣ୍ଡି ଫ୍ଲାୱାରଙ୍କ ପ୍ରଶିକ୍ଷଣରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଭଲ ପ୍ରଦର୍ଶନ କରିଥିଲା । ଫ୍ଲାୱାର ଲକ୍ଷ୍ନୌ କୋଚ ପଦ ଛାଡିବା ପରେ ଏବେ ବାଙ୍ଗାଲୋର ଟିମରେ ସାମିଲ ହୋଇଛନ୍ତି । ତେବେ ଫ୍ଲାୱାର ଜଣେ ଭଲ କୋଚ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ପାକିସ୍ତାନର ପିଏସ୍ଏଲ୍, ଆଇଏଲ୍ ଟି୨୦, ଦି ହଣ୍ଡ୍ରେଡ ଓ ଆବୁଧାବି ଟି୧୦ରେ ମଧ୍ୟ ସେ ପ୍ରଶିକ୍ଷଣ ଦେଇ ନିଜର ଟିମକୁ ଚମ୍ପିଆନ୍ କରାଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ବାଙ୍ଗାଲୋରର ଭାଗ୍ୟ ବଦଳୁଛି କି ନାହିଁ ତାହା ଦେଖିବା କଥା ।