ହାଇଦ୍ରାବାଦ:IPL 2022ର ରୋମାଞ୍ଚକର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ୍କୁ ୧୪ ରନ୍ରେ ମାତ୍ ଦେବାସହ କ୍ବାଲିଫାୟର୍ସ ୨କୁ ଉନ୍ନୀତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)। ତେବେ ବାଙ୍ଗାଲୋରର ଏହି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ ଶୀର୍ଷକ୍ରମ ବ୍ୟାଟର ରଜତ ପାଟିଦାର । ଏହି ମ୍ୟାଚରେ ସେ ୫୪ ବଲ୍ରୁ ୧୧୨ ରନ୍ କରି ଦଳୀୟ ସ୍କୋର୍କୁ ୨୦୭ ରନ୍ରେ ପହଞ୍ଚାଇଥିଲେ ।
ପରେ ୨୦୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୧୯୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଚଳିତ ଆଇପିଏଲ ସିଜିନ୍ ଉଦୀୟମାନ କ୍ରିକେଟର ରଜତ ପାଟିଦାରଙ୍କ ପାଇଁ କୌଣସି ରୋଲର କୋଷ୍ଟର ରାଇଡ୍ଠାରୁ କମ୍ ନଥିଲା । ଚଳିତ ସିଜିନ୍ ପୂର୍ବରୁ ଆଇପିଏଲର ମେଗା ଅକ୍ସନ ହୋଇଥିଲା । କୌଣସି ଫ୍ରାଞ୍ଚାଇଜ ରଜତଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ମାତ୍ର RCBରେ ସାମିଲ ଥିବା କର୍ଣ୍ଣାଟକ କ୍ରିକେଟର ଲୁଭିନ୍ଥ ସିସୋଦିଆ ଆହତ ହେବାପରେ ରଜତ ପାଟିଦାର ବଦଳ ଖେଳାଳି ଭାବରେ ଦଳରେ ସାମିଲ ହୋଇଥିଲେ ।
ଏହି ସୁଯୋଗର ଭରପୁର ଫାଇଦା ଉଠାଇ ନିଜକୁ ପ୍ରମାଣିତ କରିଛନ୍ତି ରଜତ । ଜଣେ ବଦଳ ଖେଳାଳିରୁ ଦଳ ପାଇଁ ସେ ଜଣେ ଭରଷା ଯୋଗ୍ୟ ଖେଳାଳି ହୋଇ ପାରିଛନ୍ତି । ମାତ୍ର ୪୯ ବଲ୍ରେ ସେ ଅବିଶ୍ବସନୀୟ ଶତକୀୟ ଇଂନିସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଇନିଂସ ଆରମ୍ଭରୁ ଓପନର ଫାଫ୍ ଡୁ ପ୍ଲେସିସ୍ ଆଉଟ ହେବାପରେ ସେ ମୋର୍ଚ୍ଚା ସମ୍ଭାଳିଥିଲେ । ବଡ଼ ସଟ୍ ଖେଳି ଲକ୍ଷ୍ନୌ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ ।