ଓଡିଶା

odisha

Syed Mushtaq Ali Trophy: ଅନ୍‌ମୋଲପ୍ରୀତଙ୍କ ବିସ୍ଫୋରକ ଶତକ ପରେ ଅର୍ଶଦୀପଙ୍କ ଘାତକ ଆଟାକ୍‌, ପଞ୍ଜାବ ଚମ୍ପିଆନ

By ETV Bharat Odisha Team

Published : Nov 6, 2023, 11:04 PM IST

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଚମ୍ପିଆନ୍‌ ହେଲା ପଞ୍ଜାବ । ଅନ୍‌ମୋଲପ୍ରୀତ ସିଂହ ଓ ନେହାଲ ୱାଧେରାଙ୍କ ବିସ୍ଫୋରଣ ପରେ ଅର୍ଶଦୀପ ସିଂହଙ୍କ ଘାତକ ଆଟାକ୍‌ ଆଗରେ ହାର ମାନିଲା ବରୋଦା । ମୋହାଲିରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ବରୋଦାକୁ ୨୦ ରନରେ ହରାଇ ଚମ୍ପିଆନ୍‌ ହୋଇଛି ପଞ୍ଜାବ । ଅଧିକ ପଢ଼ନ୍ତୁ

ବରୋଦାକୁ ହରାଇ ପଞ୍ଜାବ ଚମ୍ପିଆନ୍‌
Syed Mushtaq Ali Trophy

ମୋହାଲି: ବରୋଦାକୁ ୨୦ ରନରେ ହରାଇ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଚମ୍ପିଆନ୍‌ ହେଲା ପଞ୍ଜାବ । ସୋମବାର ମୋହାଲିରେ ଖେଳା ଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୪ ୱିକେଟ ହରାଇ ୨୨୩ ରନ୍‌ ସଂଗ୍ରହ କରିଥିଲା । ଅନମୋଲପ୍ରୀତ ସିଂହ (୧୧୩) ଓ ନେହାଲ ୱାଧେରା (୬୧)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏହି ବିଶାଳ ସ୍କୋର କରିଥିଲା ପଞ୍ଜାବ । ଜବାବରେ ବରୋଦା ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୨୦୩ ରନ୍‌ ପର୍ଯ୍ୟନ୍ତ ହିଁ ପହଞ୍ଚି ପାରିଥିଲା । ଫଳରେ ୨୦ ରନରେ ଏହି ମ୍ୟାଚ୍‌ ଜିତି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ହାତେଇଛି ପଞ୍ଜାବ ।

ପ୍ରଥମ ଇନିଂସ୍‌: ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ । ଦଳକୁ ସେତେ ଭଲ ଆରମ୍ଭ ମଧ୍ୟ ମିଳିନଥିଲା । କେବଳ ୧୮ ରନ୍‌ ମଧ୍ୟରେ ଦୁଇ ଓପନର ଅଭିଷେକ ଶର୍ମା (୦) ଓ ପ୍ରଭସିମ୍ରନ୍‌ ସିଂହ(୯) ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ତେବେ ଅନମୋଲ୍‌ପ୍ରୀତ୍‌ ସିଂହ ଓ ମନଦୀପ୍‌ ସିଂହ ତୃତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୬୨ ରନ୍‌ ଯୋଡିଥିଲେ । ମନଦୀପ୍‌ ଆଉଟ ହେବାପରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ନେହାଲ ୱାଧେରାଙ୍କ ସହ ମିଶି ଦଳୀୟ ଖାତାରେ ବିସ୍ଫୋରକ ଭାବେ ୧୩୮ ରନ୍‌ ଯୋଡିଥିଲେ ଅନମୋଲପ୍ରୀତ୍‌ । ୱାଧେରା କେବଳ ୨୭ ବଲ୍‌ ଖେଳି ୬ ଚୌକା ଓ ୪ ଛକା ସହ ଅପରାଜିତ ୬୧ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । ଅନ୍ୟପଟେ ଶେଷ ଓଭରରେ ରନ୍‌ଆଉଟ ହେବା ପୂର୍ବରୁ ଅନମୋଲପ୍ରୀତ୍‌ ୬୧ ବଲ୍‌ରୁ ୧୦ ଚୌକା ଓ ୬ ଛକା ମାରିଥିଲେ ବଳରେ ୧୧୩ ରନ ସଂଗ୍ରହ କରିଥିଲେ । ବରୋଦା ପକ୍ଷରୁ କୃଣାଲ ପାଣ୍ଡ୍ୟା, ଶୋଏବ ଶୋପାରିୟା ଓ ଅତୀତ ସେଠ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତଠୁ ଶୋଚନୀୟ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ଦ୍ବିତୀୟ ଇନିଂସ୍‌: ୨୨୪ ରନ୍‌ର ବିଶାଳ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ବରୋଦାକୁ ମଧ୍ୟ ଭଲ ଆରମ୍ଭ ମିଳିନଥିଲା । ଓପନର ଜ୍ୟୋସ୍ନିଲ ସିଂହ ମାତ୍ର ୪ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ଅନ୍ୟତମ ଓପନର ନିନାଦ ରାଠୱା (୪୭) ଓ ଅଭିମନ୍ୟୁ ସିଂହ (୬୧) ଦ୍ବିତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୭୨ ରନ୍‌ ଯୋଡିଥିଲେ । ପରେ କୃଣାଲ ପାଣ୍ଡ୍ୟା (୪୫) ଓ ବିଷ୍ଣୁ ସୋଲାଙ୍କି (୨୮) ରନ୍‌ କରିଥିଲେ । ୧୯ତମ ଓଭରରେ ଅର୍ଶଦୀପ ସିଂହ ଘାତକ ବୋଲିଂ କରିଥିଲେ । ଅନ୍ତିମ ଦୁଇ ଓଭରରେ ୩୫ ରନ୍‌ ଆବଶ୍ୟକ ଥିବାବେଳେ ଅର୍ଶଦୀପ ୧୯ ତମ ଓଭରରେ ୪ ରନ୍‌ ଦେଇ ୩ ୱିକେଟ ହାସଲ କରିନେଇଥିଲେ । ଶେଷ ଓଭରରେ ହରପ୍ରୀତ ବ୍ରାରଙ୍କ ବଲ୍‌ରେ ବିଷ୍ଣୁ ସୋଲାଙ୍କି ଆଉଟ୍‌ ହୋଇଥିଲେ । ଏହା ସହିତ ପଞ୍ଜାବ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛି । ଅନମୋଲପ୍ରୀତ ସିଂହଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଓ ଅଭିଷେକ ଶର୍ମାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details