ହାଇଦ୍ରାବାଦ:ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମର ଜଣାଶୁଣା ଚେହେରା । କ୍ରିକେଟ ପ୍ରେମୀଙ୍କ ହୃଦୟରେ ଘର କରିଥିବା ନାଁ ରୋହିତ ଶର୍ମା। କିଛି କରିବାକୁ ହେଲେ ଅନେକଙ୍କୁ ସଂଘର୍ଷ କରିବାକୁ ପଡେ । ଆଉ ଏହାପରେ ଜୀବନରେ ଯୋଡି ହୋଇଯାଏ ସଂଘର୍ଷର ପୃଷ୍ଠା । ଅନେକ ସଫଳ ବ୍ୟକ୍ତି ଏହି ତାଲିକାରେ ରହିଥିବା ନଜରକୁ ଆସିଛି । ସଂଘର୍ଷ ବିନା ସଫଳତା ମିଳିବା ସମ୍ଭବ ନୁହେଁ । ସେମିତି କିଛି ବ୍ୟକ୍ତିତ୍ବ ମଧ୍ୟରେ ରୋହିତ ଶର୍ମା ଜଣେ । କ୍ରିକେଟରରୁ ଦଳର ଅଧିନାୟକ ହେବା ଲୋକେ ହିଟମ୍ୟାନ ଭାବେ ପରିଚୟ ହାସଲ କରିବା ରୋହିତଙ୍କ ପାଇଁ ସହଜ ନଥିଲା । ରୋହିତ ମଧ୍ୟ ସଂଘର୍ଷ ପଥରେ ପଥିକ ହୋଇଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କ୍ରିକେଟ କିଟ୍ କିଣିବାକୁ ରୋହିତ କ୍ଷୀର ପ୍ୟାକେଟ ବିକ୍ରି କରିଥିଲେ । ଏକ ସାକ୍ଷାତକାରରେ ରୋହିତଙ୍କ ସଂଘର୍ଷ ବିଷୟରେ କହିଛନ୍ତି ପୂର୍ବତନ ସାଥୀ ଖେଳାଳି ପ୍ରଜ୍ଞାନ ଓଝା ।
ଭାରତୀୟ କ୍ରିକେଟର ଅଧିନାୟକ ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ବନ୍ଧୁ ବୋଲି କହିଛନ୍ତି ଓଡିଆ ସ୍ପିନର ପ୍ରଜ୍ଞାନ ଓଝା । ରୋହିତଙ୍କ ବିଷୟରେ କହି ସେ କହିଛନ୍ତି, ''ରୋହିତ ଜଣେ ପ୍ରତିଭାବାନ ବ୍ୟାଟ୍ସମ୍ୟାନ । ପିଲାଦିନେ ରୋହିତଙ୍କ ପାଇଁ କ୍ରିକେଟ ଖେଳିବା ସହଜ ନଥିଲା । ସେ ଏକ ସାଧାରଣ ପରିବାରୁ ଆସିଥିବାରୁ ତାଙ୍କ ପାଖରେ କ୍ରିକେଟ କିଟ୍ ବା ସରଞ୍ଜାମ କିଣିବାକୁ ପଇସା ନଥିଲା । ତେଣୁ ପିଲାଦିନେ ସେ ଘରଘର ବୁଲି କ୍ଷୀର ପ୍ୟାକେଟ ବିକ୍ରି କରିଥିଲେ । ସେଥିରୁ ଯେତିକି ରୋଜଗାର ହେଉଥିଲା ସେଥିରୁ କ୍ରିକେଟ କିଟ କିଣିଥିଲେ ରୋହିତ ।''