ପାଲିକେଲ୍: ପାଖେଇ ଆସୁଛି ସମୟ । ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହୋଇଯିବ ଏସୀୟ କ୍ରିକେଟ୍ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ ୨୦୨୩ । ଆଉ ଏଥିରେ ସବୁଠାରୁ ବଡ଼ ମ୍ୟାଚ୍ରେ ମହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଏହି ଚିର ପ୍ରତିଦ୍ବନ୍ଦ୍ବୀଙ୍କ ମ୍ୟାଚ୍ ସବୁବେଳେ ରୋମାଞ୍ଚପୂର୍ଣ୍ଣ ରହିଥାଏ । ମୈଦାନ ଭିତରେ ଯେତିକି ଉଷ୍ମତା ରହିଥାଏ, ପ୍ରଶଂସକଙ୍କ ମନରେ ଭରି ରହିଥାଏ ସେତିକି ଉନ୍ମାଦନା । ଏଥିପାଇଁ ଏବେଠାରୁ ବିଭିନ୍ନ ଦେଶର କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ କ୍ରିକେଟରମାନେ ବିଭିନ୍ନ ବ୍ୟାଟରଙ୍କ ସ୍କୋର ଓ ପ୍ରଦର୍ଶନର ଅନ୍ଦାଜ୍ ଲଗାଇବାରେ ଲାଗି ପଡ଼ିଲେଣି ।
ତେବେ ବହୁ ମାନସ ମନ୍ଥନ ପରେ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସେପ୍ଟେମ୍ବର ୨ରେ ପାଲିକେଲ୍ରେ ଖେଳାଯିବ । ଏସିଆ କପ ୨୦୨୩ର ତୃତୀୟ ମ୍ୟାଚ୍ରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପରସ୍ପର ବିପକ୍ଷରେ ପଡ଼ିଆରେ ରହିବେ । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ମୈଦାନରେ ରହିବେ ଭେଟେରାନ ବ୍ୟାଟର ବିରାଟ କୋହଲି । ତେବେ ଏହା ପୂର୍ବରୁ ପାକିସ୍ତାନ ଖେଳାଳି ଇମାମ ଉଲ୍ ହକ୍ ବିରାଟଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । କୋହଲିଙ୍କୁ ନିଜ ଆଦର୍ଶ ବୋଲି ବର୍ଣ୍ଣନା କରିଛନ୍ତି ଇମାମ । ଫିଟ୍ନେସ୍ ଏବଂ କ୍ରୀଡା ସମ୍ବନ୍ଧରେ କୋହଲି ସିଦ୍ଧ ବୋଲି ସେ କହିଛନ୍ତି ।