ଦୁବାଇ:ଏସିଆନ କ୍ରିକେଟ କାଉନସିଲ୍(ACC)ର ବଡ ନିଷ୍ପତ୍ତି । ଅକ୍ଟୋବର ୧୫ରେ ଆୟୋଜିତ ବୈଠକରେ ଏସିଆ କପ୍କୁ ନେଇ ବଡ ନିଷ୍ପତ୍ତି ହୋଇଛି । ଏସିଆ କପ୍ ୨୦୨୩ ସଂସ୍କରଣର ଆୟୋଜକ ମାନ୍ୟତା ପାକିସ୍ତାନକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବା ନେଇ ସ୍ଥିର ହୋଇଛି । ୨୦୨୩ରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦୨୨ରେ ଶ୍ରୀଲଙ୍କା ଦ୍ବାରା ଆୟୋଜିତ ଇଭେଣ୍ଟର ଠିକ୍ ଏକ ବର୍ଷ ପରେ ହେବ ।
ACC ଚେୟାରମ୍ୟାନ ଜୟ ଶାହଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ଯେ ଏସିଆ କପ୍ ଆୟୋଜନର ପାଳି ଏଥର ପାକିସ୍ତାନରେ ରହିଛି । ସେହିପରି ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ମଧ୍ୟ ଏହା କୁହାଯାଇଛି ଯେ, ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନର ସ୍ଥାନ(ନ୍ୟୁଟ୍ରାଲ ଭେନ୍ୟୁ)ରେ ନ ହୋଇ ପାକିସ୍ତାନରେ ଖେଳାଯିବ ।