ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ହେଉଛି ବିଶ୍ବର ସବୁଠାରୁ ଦାମି କ୍ରିକେଟ୍ ଲିଗ୍ । ଏହି କାରଣରୁ ସମଗ୍ର ବିଶ୍ବର ପ୍ରଶଂସକ ଆଇପିଏଲ୍କୁ ଚାତକ ଭଳି ଚାହିଁ ରହିଥାନ୍ତି । ଯଦିଓ ପାକିସ୍ତାନ କ୍ରିକେଟରଙ୍କୁ ଏହି ହାଇପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୁଯୋଗ ମିଳିନଥାଏ, ହେଲେ ସେମାନଙ୍କ ଭିତରେ ମଧ୍ୟ ଆଇପିଏଲ୍କୁ ନେଇ କ୍ରେଜିନେସ୍ ଦେଖିବାକୁ ମିଳେ । ଯାହାର ସଦ୍ୟତମ ଉଦାହରଣ ଦେଇଛନ୍ତି ପାକିସ୍ତାନର ଷ୍ଟାର ପେସର୍ ହାସନ ଅଲୀ । ଆଇପିଏଲ୍କୁ ବିଶ୍ବର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ଭିତରେ ସ୍ଥାନ ଦେବା ସହ ସବୁ ଖେଳାଳିଙ୍କ ପରି ସେ ମଧ୍ୟ ଆଇପିଏଲ୍ ଖେଲିବାକୁ ଚାହୁଁଥିବା କହିଛନ୍ତି ହାସନ ।
ଏକ ସାକ୍ଷାତକାର ଦେବା ସମୟରେ ପାକିସ୍ତାନୀ ଦ୍ରୁତ ବୋଲର ହାସନ ଅଲୀ କହିଛନ୍ତି, "ଆଜିର ଦିନରେ ବିଶ୍ବରେ ହେଉଥିବା ବଡ଼ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ମଧ୍ୟରେ ଆଇପିଏଲ୍ ଅନ୍ୟତମ । ତେଣୁ ସମସ୍ତ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚାହାଁନ୍ତି । ମୁଁ ବି ଆଇପିଏଲ୍ ଖେଳିବାକୁ ଇଚ୍ଛା କରୁଛି । ଯଦି ମୋତେ ଭବିଷ୍ୟତରେ ଆଇପିଏଲ୍ ଖେଳିବାକୁ ସୁଯୋଗ ମିଳେ, ତେବେ ମୁଁ ମଧ୍ୟ ନିଶ୍ଚିୟ ଆଇପିଏଲ୍ ଖେଳିବି ।" ବିଶ୍ବ କ୍ରିକେଟର ସବୁ ବୋର୍ଡ ଆଇପିଏଲ୍ ପାଇଁ ସମୟ ବାହାର କରୁଛନ୍ତି । ତେଣୁ ଏହା ଆଗକୁ ଆହୁରି ବଡ଼ ଲିଗ୍ ଭାବେ ଉଭା ହେବ ବୋଲି ସର୍ବସାଧାରଣରେ କହିଛନ୍ତି ହାସନ ଅଲୀ ।