ହାଇଦ୍ରାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ନେଇ ଛିଣ୍ଡୁନି ଅଙ୍କ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବା ପାଇଁ ଭାରତ ସିଧା ସଳଖ ମନା କରିଦେଇଥିଲା । ଏହାପରେ ଏସିଆ କପ୍ରେ ଭାଗ ନେବାକୁ ଥିବା ଅନ୍ୟ ଦେଶ ଗୁଡ଼ିକ ଭାରତ ସପକ୍ଷରେ ବାହାରିବାରୁ ହାଇବ୍ରିଡ୍ ମଡେଲ୍ରେ ଟୁର୍ଣ୍ଣାମେଣ୍ଟ କରିବାକୁ ପ୍ରସ୍ତାବ ଦେଇଥିଲା ଏସୀୟ କ୍ରିକେଟ୍ ପରିଷଦ (ଏସିସି) । ଏଥିରେ ପ୍ରଥମେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହମତି ପ୍ରକାଶ କରିଥିଲା । ହେଲେ ଜାକା ଅସ୍ରଫ ନୂଆକରି ପିସିବି ଦାୟିତ୍ବ ନେବା ପରେ ପୁଣି ଏଥିରେ କେଁ ବାହାର କରିଛି ପାକିସ୍ତାନ । ଏହାରି ମଧ୍ୟରେ ରାଜନୈତିକ ବାତାବରଣରୁ କ୍ରିକେଟ୍କୁ ଦୂରେଇ ରଖାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ମିସ୍ବା ଉଲ୍ ହକ୍ ।
କରାଚିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି, "ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଆସୁ ଏବଂ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ୍ ଖେଳିବାକୁ ଭାରତ ଯାଉ । ଏସିଆ କପ୍ ଓ ବିଶ୍ବକପ୍ ଭଳି ବଡ଼ ଇଭେଣ୍ଟ ଗୁଡ଼ିକରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଯାଉଥିବା କ୍ରିକେଟ୍ ମ୍ୟାଚ୍ ଦେଖିବାରୁ ଉଭୟ ଦେଶର ପ୍ରଶଂସକଙ୍କୁ ବଞ୍ଚିତ କରାନଯାଉ । ଯଦି ଅନ୍ୟ ଖେଳଗୁଡ଼ିକରେ ଦୁଇ ଦେଶର ଖେଳାଳୀମାନେ ମିଶି ପାରୁଛନ୍ତି, ତେବେ କ୍ରିକେଟ୍ରେ କାହିଁକି ନୁହେଁ ? ରାଜନୈତିକ ବାତାବରଣରେ କ୍ରିକେଟ୍କୁ କାହିଁକି ଯୋଡ଼ା ଯାଉଛି ? ପାକିସ୍ତାନ ତାହାର ବିଶ୍ବକପ୍ ମ୍ୟାଚ୍ଗୁଡ଼ିକ ଭାରତରେ ଖେଳିବା ଦରକାର । କାରଣ ମୁଁ ଯେତେବେଳେ ଭାରତରେ ମ୍ୟାଚ୍ ଖେଳିଥିଲି ସେତେବେଳେ ଉଭୟ ଚାପ ଓ ଦର୍ଶକଙ୍କ ଉତ୍ସାହକୁ ଉପଭୋଗ କରିପାରୁଥିଲି ।" ଏହା ହିଁ ଖେଳାଳୀଙ୍କୁ ପ୍ରେରଣା ଦେଇଥାଏ । ଭାରତରେ ଖେଳୁଆଡ଼ ପରିବେଶ ପାକିସ୍ତାନୀ ଖେଳାଳୀଙ୍କୁ ସୁହାଇଥାଏ ବୋଲି କହିଛନ୍ତି ମିସ୍ବା । ତେଣୁ ଭାରତରେ ପାକିସ୍ତାନ ଭଲ ପ୍ରଦର୍ଶନ କରିପାରିବ ବୋଲି ସେ ଆଶା କରିଛନ୍ତି ।