ହାଇଦ୍ରାବାଦ: କହୁ କହୁ ସତ କହିଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ନୂଆକରି ଅଧକ୍ଷ୍ୟ ଭାର ସମ୍ଭାଳିଥିବା ରମିଜ ରାଜା । ଭାରତର ପ୍ରଧାନମନ୍ତ୍ରୀ ଚାହିଁଲେ ବନ୍ଦ ହୋଇଯିବ ପାକିସ୍ତାନ କ୍ରିକେଟ ବୋର୍ଡ । ଏକଥା ଅନ୍ୟ କେହି କହିନାହାନ୍ତି ବରଂ ଖୋଦ୍ PCB ମୁଖ୍ୟ କହିଛନ୍ତି । ଏପରି କହି ବିବାଦ ଘେରକୁ ଆସିଯାଇଛନ୍ତି ରାଜା । ନିଜ ଦେଶରେ ତୀବ୍ର ବିରୋଧର ସମ୍ମୁଖୀନ ହେବାସହ ଅଡୁଆରେ ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ବର୍ତ୍ତମାନର PCB ମୁଖିଆ । ଏହାପରେ ଟ୍ବିଟରରୁ ଉକ୍ତ ପୋଷ୍ଟଟି ହଟାଇଦେଇଛନ୍ତି ରମିଜ ରାଜା । ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା, ଭାରତରେ ରମିଜ ରାଜାଙ୍କ ଏହି ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିଲେ ରାଜା । ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ରାଜା କହିଛନ୍ତି, "ପାକିସ୍ତାନ କ୍ରିକେଟ ବୋର୍ଡର ପରିଚାଳନା ଆଇସିସି ପାଣ୍ଠି ଉପରେ ନିର୍ଭରଶୀଳ । ଏପରିକି ଆଇସିସି ପାଣ୍ଠିରେ ୫୦ ପ୍ରତିଶତ ବୋର୍ଡ ପରିଚାଳିତ ହେଉଛି । ଅର୍ଥାତ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରେ ଓ ଆୟ ଅର୍ଥରାଶି ସଦସ୍ୟ ବୋର୍ଡ ମଧ୍ୟରେ ବଣ୍ଟନ କରେ । ଅନ୍ୟପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI), ଆଇସିସିକୁ ପ୍ରଦାନ କରୁଥିବା ପାଣ୍ଠିରେ ଆଇସିସି ୯୦ ପ୍ରତିଶତ ପରିଚାଳିତ ହେଉଛି ।"