ସିଡନୀ:ଚଳିତ ଟି୨୦ ବିଶ୍ବକପରେ ପାକିସ୍ତାନ ନିଜର ଚତୁର୍ଥ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୩୩ ରନ୍ରେ ମାତ୍ ଦେଇଛି । ଫଳରେ ସେମି ଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି ମେନ୍ ଇନ ଗ୍ରୀନ । ବର୍ଷାବାଧାପ୍ରାପ୍ତ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପାଳି ଆରମ୍ଭରୁ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରଥମ ଓଭରରେ ହିଁ ଓପନର ମହମ୍ମଦ ରିଜୱାନ୍ ମାତ୍ର ୪ ରନ୍ କରି ପାଭିଲିୟନ ଫେରିଥିଲେ ।
ଏହାପରେ ମହମ୍ମଦ ହାରିସ ଓ ଅଧିନାୟକ ବାବର ଆଜମ ପାଳି ସମ୍ଭାଳିଥିଲେ । ତେବେ ପ୍ରାରମ୍ଭରୁ ଦକ୍ଷିଣ ଆଫ୍ରିକା ବୋଲର ଶୃଙ୍ଖଳିତ ବୋଲିଂ କରିଥିଲେ । ଯାହାଫଳରେ ପାକିସ୍ତାନର ଟପ୍ ଅର୍ଡର ବ୍ୟାଟର ଧରାଶାୟୀ ହୋଇଥିଲେ । ମାତ୍ର ୪୩ ରନ୍ ଦଳୀୟ ସ୍କୋର୍ ବେଳେ ପାକିସ୍ତାନ ୪ଟି ୱିକେଟ ହରାଇଥିଲା । ଏହାପରେ ଇଫ୍ତିଖାର୍ ଅହମ୍ମଦ ଗୋଟିଏ ପଟେ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ମହମ୍ମଦ ନୱାଜ୍ ମଧ୍ୟ ବଡ଼ ସଟ୍ ଖେଳିବା ଆଶାରେ ୱିକେଟ ହରାଇଥିଲେ । ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲ ଅଲରାଉଣ୍ଡର ସଦାବ ଖାନ୍ । ସଦାବ ଓ ଇଫ୍ତିଖାର୍ ମଧ୍ୟରେ ଶେଷ ବେଳକୁ ୩୬ ବଲ୍ରେ ୮୫ ରନ୍ର ଭାଗିଦାରୀ ହୋଇଥିଲା । ଯାହାଫଳରେ ପାକିସ୍ତାନର ଦଳୀୟ ସ୍କୋର୍ ୧୮୫ ରନ୍ରେ ପହଞ୍ଚିଥିଲା । ସଦାବ ଖାନ୍ ୨୦ ବଲ୍ରୁ ଦ୍ରୁତ ଅର୍ଦ୍ଧ ଶତକ ହାସଲ କରିଥିଲେ ।